ତାଣ୍ଡବକୁ ନେଇ ନିର୍ମାତା କ୍ଷମା ମାଗିଲା ପରେ ବି ଥମୁନାହିଁ ବିବାଦ
ଥମିବାରେ ନା ନେଉ ନାହିଁ ବିବାଦ
ଲକ୍ଷ୍ନୌ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ଅଭିନୀତ ୱେବ୍ ସିରିଜି ‘ତାଣ୍ଡବ’କୁ ନେଇ ଥମିବାରେ ନା ନେଉ ନାହିଁ ବିବାଦ। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଏହି ସିରିଜ୍ ନେଇ ଜୋରଦାର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏମିତିକି ଡାଇରେକ୍ଚଟରଙ୍କ ସମେତ ସିରିଜରେ ଜଡିତ ଥିବା ଅନେକ କର୍ମଚାରୀ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି।
ୱେବ୍ ସିରିଜକୁ ନେଇ IPC ର ଧାରା ୧୫୩ ଏ, ୨୯୫,୫୦୫ରେ ମାମଲା ରୁଜୁ ହୋଇଛି। କେବଳ ଏତିକି ନୁହେଁ ଆଇଟି ଆକ୍ଟକୁ ଖିଲାଫ ଅଭିଯୋଗରେ ମଧ୍ୟ ମାମଲା ରୁଜୁ କରାଯାଇଛି। ତେବେ ମାମଲା ରୁଜୁ ହେବା ପରେ ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି।
ତେବେ ଜାନୁଆରୀ ୧୫ ତାରିଖରେ ରିଲିଜ୍ ହୋଇଥିବା ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ଅଭିନୀତ ୱେବ୍ ସିରିଜି ‘ତାଣ୍ଡବ’କୁ ନେଇ ବିବାଦ ପୂର୍ବରୁ ହିଁ ଦେଖାଦେଇଛି । ଏହି ଫିଲ୍ମରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରାଯିବା ସହ ହିନ୍ଦୁଙ୍କ ଭାବାବେଗକୁ କୁଠାରଘାତ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ଘଟଣାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆମାଜନ ପ୍ରାଇମ୍ ଭିଡିଓକୁ ଜବାବ ତଲବ କରିଛି।
ମିଳିଥିବା ସୂଚନା ଅନୁସାରେ, ବିଜେପି ନେତା ରାମ କଦମ ରବିବାର ପୋଲିସ୍ରେ ଅଭିଯୋଗ କରିବା ପରେ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାମ କଦମ ଫିଲ୍ମ କ୍ରିଏଟର୍ସ, ଆକ୍ଟର୍ସ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ହିନ୍ଦୁଙ୍କ ଭାବାବେଗକୁ କୁଠାରଘାତ କରାଯାଇଥିବା ବିଜେପି ନେତା ରାମ କଦମ ଅଭିଯୋଗ କରିଥିଲେ।। ଟ୍ୱିଟ୍ କରି ସେ କହିଥିଲେ, କାହିଁକି ବାରମ୍ବାର ହିନ୍ଦୁ ଦେବୀଦେବତାଙ୍କୁ ବିଭିନ୍ନ ଫିଲ୍ମ ଓ ୱେବ୍ ସିରିଜ୍ରେ ଅପମାନିତ କରାଯାଉଛି। ଯାହାର ସଦ୍ୟ ଉଦାହରଣ ହେଲା ୱେବ୍ ସିରିଜ୍ ତାଣ୍ଡବ। ସୈଫ୍ ଅଲ୍ଲୀ ଖାନ୍ ପୁଣିଥରେ ଏଭଳି ଫିଲ୍ମ କିମ୍ବା ୱେବ୍ ସିରିଜ୍ରେ ଅଭିନୟ କରିଛନ୍ତି ଯାହା ହିନ୍ଦୁ ଭାବନାକୁ ଆଘାତ ଦେଇଛି।
ରାମ କଦମ ଫିଲ୍ମଟି ଧର୍ମୀୟ ଭାବନାକୁ କୁଠାରଘାତ କରୁଛି ବୋଲି ଥାନାରେ ଏତଲା ଦେଇଥିବା ବେଳେ ସାଂସଦ ମନୋଜ କୋଟାକ ସୂଚନା ପ୍ରସାରଣ ବିଭାଗକୁ ଚିଠି ଲେଖି ଆମାଜନ୍ ପ୍ରାଇମ୍ ଭିଡିଓର ୱେବ୍ ସିରିଜ୍ ‘ତାଣ୍ଡବ’କୁ ବ୍ୟାନ୍ କରିବାକୁ ଅନୁରୋଧ କରିଥିଲେ।
ସୂଚନା ଥାଉକି ୱେବ୍ ସିରିଜ୍ ‘ତାଣ୍ଡବ’ରେ ସୈଫ୍ ଅଲ୍ଲୀ ଖାନ, ଡିମ୍ପଲ କାପାଡ଼ିଆ, ମହମ୍ମଦ ଜୀଶନ ଆୟୁବ, ସୁନୀଲ ଗ୍ରୋଭର ପ୍ରମୁଖ ଅଭିନୟ କରିଛନ୍ତି। ଜାନୁଆରୀ ୧୫ ତାରିଖରେ ଏହି ୱେବ୍ ସିରିଜ୍ ରିଲିଜ୍ ହୋଇଛି।