ଫ୍ଲିପ୍‌କାର୍ଟକୁ ଟକ୍କର ଦେବାକୁ ଆମାଜନର ପ୍ରସ୍ତୁତି

ନୂଆଦିଲ୍ଲୀ: କରୋନା ମହାମହାରୀ ଯୋଗୁ ଦେଶରେ ବ୍ୟବସାୟ ସେତେଟା ସ୍ୱାଭାବିକ ହୋଇନାହିଁ। ଅନଲକ-୨ କାର୍ଯ୍ୟକାରୀ ହେଉଥିଲେ ବି କଟକଣା ଯୋଗୁ ଏବେ ବି ଅନେକ ଦୋକାନ ବଜାର ବନ୍ଦ ରହିଛି। ଏପରି ପରିସ୍ଥିତିରେ ଗ୍ରାହକ ଅନ୍‌ଲାଇନ୍‌ ବଜାର ଆଡ଼କୁ ମୁହାଁଇଲେଣି।

ତେଣୁ ଗ୍ରାହକଙ୍କ ରୁଚିକୁ ଦେଖି ଆମାଜାନ ଭାରତରେ ତାର ବ୍ୟବସାୟ ବୃଦ୍ଧି ପାଇଁ ଅଣ୍ଟାଭିଡ଼ିଛି। ଆମାଜନର ମୂଳ କମ୍ପାନୀ ଭାରତ ୟୁନିଟ୍‌ର ସେଲ ସର୍ଭିସ ବୃଦ୍ଧି ପାଇଁ ୨୩.୧୦ ବିଲିୟନ ବା ୩୦୮.୦୨ ମିଲିୟନ ଡଲାର ବିନିଯୋଗ କରିଥିବା ବ୍ୟବସାୟ ଇଣ୍ଟେଲିଜେନ୍ସ ଫାର୍ମ ଟଫଲର ତଥ୍ୟରୁ ଜଣାପଡ଼ିଛି।

ପୂର୍ବରୁ ମେ’ ମାସରେ କମ୍ପାନୀର ଅନଲାଇନ ସପିଙ୍ଗ ବୃଦ୍ଧି ପାଇଁ ଭାରତୀୟ ଶାଖାରେ ୫୦ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ  ନିଯୁକ୍ତି ଦେଇଥିଲା ଆମାଜନ। ଫ୍ଲିପକାର୍ଟ ସହିତ ପ୍ରତିଦ୍ୱନ୍ଦ୍ୱିତା ପାଇଁ କମ୍ପାନୀ ଅଧିକ ପୁଞ୍ଜିନିବେଶ କରୁଥିବା କୁହାଯାଉଛି।

ଲକଡାଉନ ସମୟରେ ଆମାଜନ ଦେଶରେ ଥିବା ଛୋଟ ଛୋଟ ଦୋକାନ ଗୁଡ଼ିକୁ ନିଜ ସହ ଯୋଡ଼ିବାକୁ ଚାହୁଁଛି। ଏହାର ବିକ୍ରି ପ୍ଲାଟଫର୍ମକୁ ବୃଦ୍ଧି କରି ଲୋକଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଆମାଜନ। ୨୦୨୫ ସୁଦ୍ଧା ୧୦ ମିଲିୟନ ଛୋଟ ଦୋକାନୀଙ୍କୁ ନିଜ ସହ ଯୋଡ଼ିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

 

You might also like