ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଟ୍ରକକୁ ରୋକନି-କେନ୍ଦ୍ର

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଟ୍ରକକୁ ରୋକାଯାଇ ପାରିବନି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଟ୍ରକ,  ରାଜ୍ୟ ଭିତରେ ଚଳାଚଳ କରୁଥିବା ଟ୍ରକ୍ ଉପରେ କଟକଣା ରହିବନି। ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛି କେନ୍ଦ୍ର ଗୃହ ବିଭାଗ।

ସେହିପରି ଖାଲି ଟ୍ରକ୍ ଗୁଡ଼ିକ ଜିନିଷ ପରିବହନ କରିବା ପାଇଁ କିମ୍ବା ଫେରିବା ବେଳେ ବି ଏହାକୁ ରୋକିବେନି ପ୍ରଶାସନ। ଟ୍ରକ୍ ଚଳାଚଳ ନେଇ ଆବଶ୍ୟକ ହେଉଥିବା ପାସ୍ ସ୍ଥାନୀୟ ପ୍ରଶାସନ କିମ୍ବା ସଂପୃକ୍ତ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।  ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି।

ଲକଡାଉନ୍ ସମୟରେ ବିଭିନ୍ନ ରାଜ୍ୟରେ ଟ୍ରକ ଗୁଡ଼ିକୁ ପାସ୍ ନେଇ ଅସୁବିଧା ହେଉଥିବା ଘଟଣା ସାମ୍ନାକୁ ଆସିଛି। ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ଟ୍ରକ୍ ସହ ଶ୍ରମିକ ଆବଶ୍ୟକ। ହେଲେ ଏମାନଙ୍କ ଯାତାୟତ ନେଇ କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାସ୍ ଦେଉନଥିବା ଘଟଣା ନଜରକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି।

ସେହିଭଳି ଶୀତଳ ଭଣ୍ଡାର ଓ ଗୋଦାମ ଘରକୁ ଯିବାକୁ ଶ୍ରମିକ ଓ ଟ୍ରକ୍ ଗୁଡ଼ିକୁ ଅନୁମତି ଦିଆଯାଉନାହିଁ। ଯାହାକୁ ଗୁରୁତର ସହ ନେଇଛି ଗୃହ ବିଭାଗ ।

 

You might also like