ସୁଇମରରୁ ବିଜେପି ମୁଖ୍ୟ: ଏମିତି ଥିଲା ଜେପି ନଡ୍ଡାଙ୍କ କାହାଣୀ

ନୂଆଦିଲ୍ଲୀ: ସ୍କୁଲ ଜୀବନର ସୁଇମରରୁ(ପହଁରାଳି) ଏବେ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ଅଧ୍ୟକ୍ଷ ହେଲେ ଜଗତ ପ୍ରକାଶ ନଡ୍ଡା ଓରଫ୍‌ ଜେପି ନଡ୍ଡା। ୨ ଡିସେମ୍ବର ୧୯୬୦ରେ ବିହାର ପାଟନାରେ ଜନ୍ମ ହୋଇଥିବା ଜେପି ନଡ୍ଡା ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ପରେ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ।

ଛାତ୍ର ଜୀବନରୁ ଆର୍‌ଏସ୍‌ଏସ୍‌ ସହ ନିବିଡ଼ ଭାବେ ଜଡ଼ିତ ଥିବା ଜେପି ନଡ୍ଡାଙ୍କର ରାଜନୈତିକ ଜୀବନ ହିମାଚଳରୁ ହିଁ ଆରମ୍ଭ ହୋଇଥିଲା। ରାଜ୍ୟ ସଂଗଠକ ଭାବେ କାମ କରିବା ପରେ ପ୍ରଥମ ଥର ପାଇଁ ୧୯୯୩ରେ ହିମାଚଳ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ନଡ୍ଡା। ଦୁଇ ଥର ବିଧାନସଭାକୁ ନିର୍ବାଚିତ ହେବା ସହ ୧୯୯୮ରୁ ୨୦୦୩ ଓ ପୁଣି ଥରେ ୨୦୦୮ରୁ ୨୦୧୦ ଯାଏ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

୨୦୧୦ରୁ ଆରମ୍ଭ ହୋଇଥିଲା ନଡ୍ଡାଙ୍କ ଦିଲ୍ଲୀରେ ରାଜନୀତି। କେନ୍ଦ୍ରୀୟ ନେତାଙ୍କ ସହ ନଡ୍ଡାଙ୍କ ସମ୍ପର୍କ ବଢ଼ିବା ସହ ୨୦୧୨ରେ ଜେପି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୪ରେ ମୋଦୀ କ୍ୟାବିନେଟ୍‌ରେ ସିଧା ଏଣ୍ଟ୍ରି ମିଳିଥିଲା ଜେପିଙ୍କୁ। ଏହାସହ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗ। ଏହାର ୫ ବର୍ଷ ପରେ ୨୦୧୯ରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ ଜେପି ନଡ୍ଡା।

You might also like