ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବା ପାଇଁ ଆଲର୍ଟ ହେଲେ ସବୁ ରାଜ୍ୟ

ଭୁବନେଶ୍ୱର: ସାରା ବିଶ୍ୱରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ୱର ୧୯୫ ଦେଶରୁ ଏବେ ସୁଦ୍ଧା ୧୮୬ ଦେଶକୁ ପଶିଗଲାଣି ମହାମାରୀ କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ଦେଶରେ ୬୩ ଜଣ କୋଭିଡ୍-୧୯ ଭାଇରସ ଆକ୍ରାନ୍ତ ହେବା ପରେ ହାଇଆଲର୍ଟରେ ସବୁ ରାଜ୍ୟ ସରକାର।

ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ଥିବାରୁ ଏହା ଯେଭଳି ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ଗୋଷ୍ଠୀ ସଂକ୍ରମଣ ସ୍ତରକୁ ନଯାଏ ସେଥିପାଇଁ ଦିନ ରାତି ଏକ କରିଦେଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର।

ମୁମ୍ବାଇ, ପୁନେ ଓ ନାଗପୁରକୁ ମହାରାଷ୍ଟ୍ର ସରକାର ୩୧ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଥିଲା ବେଳେ ରାଜସ୍ଥାନର ଭିଲୱାରାର ସହରରେ କର୍ଫ୍ୟୁ ଜାରି ହୋଇଛି। ସହରର ତିନି ଜଣ ଡାକ୍ତର ଓ କିଛି ନର୍ସିଂ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଶାସନ ଏଭଳି କଡ଼ା ପଦକ୍ଷେପ ନେଇଛି।

ସେହିପରି ଓଡ଼ିଶାରେ ୫ଟି ଜିଲ୍ଲା ସମେତ ୧୦ଟି ସହରକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କରିଦିଆଯିବ।

ସେପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ କରୋନା ଟେଷ୍ଟ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ଆଇସିଏମ୍ଆର୍।

ଥଣ୍ଡା,ଜ୍ୱର, କାଶ ଏବଂ ଶ୍ୱାସସମ୍ବନ୍ଧିୟ ବେମାରୀରେ ହସ୍ପିଟାଲରେ ଚିକିତ୍ସିତ ସମସ୍ତ ଗୁରୁତର ରୋଗୀଙ୍କର ଏଣିକି କୋଭିଡ୍ ୧୯ ଭାଇରସ୍ ଟେଷ୍ଟ ହେବ ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ସେହିପରି ସମସ୍ତ ଏମ୍ସ ସେଣ୍ଟରର ଓପିଡିରେ ଆସନ୍ତା ୨୩ରୁ ରୋଗୀ ପଞ୍ଜିକରଣ ସହ ରୁଟିନ୍ କାର୍ଯ୍ୟକୁ ସାମୟିକ ବନ୍ଦ ରଖାଯାଇଛି।

You might also like