ଜୁନ୍ ୧ରୁ ଖୋଲିବ ଧର୍ମାନୁଷ୍ଠାନ
କୋଲକାତା: ଜୁନ୍ ୧ରୁ ପଶ୍ଚିମବଙ୍ଗରେ ଖୋଲିବ ଧାର୍ମିକ ଅନୁଷ୍ଠାନ। ଲକ୍ଡାଉନ୍ ପରେ ବନ୍ଦ ଥିବା ଧାର୍ମିକ ଅନୁଷ୍ଠାନକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମନ୍ଦିର, ମସଜିଦ୍, ଚର୍ଚ୍ଚ ସମେତ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲାଯିବ। ତେବେ ଏକକାଳୀନ ୧୦ ଜଣ ହିଁ ଉପସ୍ଥିତ ରହିପାରିବେ ବୋଲି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ରେ ଜାରି ହୋଇଛି।
ଏହାସହ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୂରତାକୁ ବଜାଏ ରଖିବା, ସାନିଟାଇଜେସନ୍ ଉପରେ ଅନୁଷ୍ଠାନ କଡ଼ାକଡ଼ି ଧ୍ୟାନ ଦେବେ। ଜୁନ୍ ପହିଲାରୁ ପଞ୍ଚମ ପର୍ଯ୍ୟା ଲକ୍ଡାଉନ୍ ହେବ ନା ନାହିଁ ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ତାପୂର୍ବରୁ ମମତାଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
କେବଳ ଧାର୍ମିକ ସ୍ଥାନ ନୁହେଁ, ସମସ୍ତ ଘରୋଇ ସଂସ୍ଥାରେ କାମ ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି ମମତା। ଜୁନ୍ ୮ ତାରିଖରେ ସମସ୍ତ ବେସରକାରୀ ସଂସ୍ଥାରେ କାମ ଆରମ୍ଭ ହେବା ସହିତ କର୍ମଚାରୀ ଚାକିରିରେ ଯୋଗ ଦେଇପାରିବେ ବୋଲି ମମତା ଘୋଷଣା କରିଛନ୍ତି।
ସେହିପରି ଭାବେ ପଶ୍ଚିମବଙ୍ଗରେ କରୋନା ମାମଲା ବଢ଼ିବାରେ ଲାଗିଛି। ଏବେ ଯାଏ ୪ ହଜାର ୫୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।