ଦେଶରେ ବେକାବୁ ହେଲାଣି କରୋନା: ୨୪ ଘଣ୍ଟାରେ ୪୦ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୪୦ ହଜାର ଡେଇଁଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୦ ହଜାର ୯୫୩ ନୂଆ ଆକ୍ରାନ୍ତ। ଏଥିସହ ୧୮୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଲଗାତର ୨ ଦିନ ହେଲା ନୂଆ ସଂକ୍ରମଣ ୩୫ ହଜାର ଉପରେ ରହୁଥିଲା। ତେବେ ଆଜି ତାହା ୪୦ ହଜାର ଅତିକ୍ରମ କରିଛି। ଆଜିର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଗତ ୪ ମାସ ମଧ୍ୟରେ ସର୍ବାଧିକ ରହିଛି ବୋଲି ଜଣାପଡିଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୫ ଲକ୍ଷ ୫୫ ହଜାର ୨୮୪କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୯ ହଜାର ୫୫୮କୁ ବୃଦ୍ଧି ପାଇଛି। ଦେଶରେ ଏବେ ୨ ଲକ୍ଷ ୮୮ ହଜାର ୩୯୪ ଜଣ ସକ୍ରିୟ ରୋଗୀ ରହିଥିବା ସ୍ଵାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ସେପଟେ ଏଯାଏଁ ଦେଶରେ ୨୩ କୋଟି ୨୪ ଲକ୍ଷ ୩୧ ହଜାର ୫୧୭ ଜଣଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ୪ କୋଟି ୨୦ ଲକ୍ଷ ୬୩ ହଜାର ୩୯୨ ଜଣଙ୍କୁ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ତେବେ ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ କରୋନା ଗ୍ରାଫ ମଧ୍ୟ ଉପରମୁହାଁ ହୋଇଛି। ଦୀର୍ଘ ଦିନ ଧରି କରୋନା ଗ୍ରାଫ ୧୦୦ ତଳେ ଥିବାବେଳେ ଗତକାଲି ୧୧୦ ଛୁଇଁଥିଲା। ଆଜି ଏହା ୧୨୦କୁ ଛୁଇଁଛି। ପ୍ରତିଦିନ ବଢୁଥିବା ଏଇ କରୋନା ସଂକ୍ରମିତଙ୍କ ସଂଖ୍ୟା  ପୁଣି ଚିନ୍ତା ବଢାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨୨ଟି ଜିଲ୍ଲାରୁ ୧୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବାବେଳେ ୪୯ ଲୋକାଲ କେସ ରହିଛି । ଷ୍ଟେଟ ପୁଲ୍‌ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ସର୍ବାଧିକ ରୋଗୀ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୨୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ ତା ପଛରେ ଅଛି ସୁନ୍ଦରଗଡ଼। ଏଠାରୁ ୧୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୫, ଖୋର୍ଦ୍ଧାରୁ ୧୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ଜଗତ୍‌ସିଂହପୁର, କଳାହାଣ୍ଡିକେନ୍ଦୁଝର, ନବରଙ୍ଗପୁର, ନୂଆପଡ଼ା, ଢେଙ୍କାନାଳ, ବରଗଡ଼, ଅନୁଗୁଳରୁ ଜଣେ ଲେଖାଏ, ବଲାଙ୍ଗିର, କେନ୍ଦ୍ରାପଡ଼ାରୁ ୨, ପୁରୀ, ରାୟଗଡା, ଝାରସୁଗୁଡା, ଭଦ୍ରକରୁ ୩, ବାଲେଶ୍ୱର, ଯାଜପୁର, ଗଞ୍ଜାମରୁ ୪ ଜଣ ଲେଖାଏ, ସମ୍ବଲପୁରରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।

You might also like