ଦେଶରେ ୨୪ ଘଣ୍ଟାରେ ୧୫,୫୧୦ ଜଣ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ମୃତ୍ୟୁ ସଂଖ୍ୟା ରହିଛି କେତେ?

କାୟା ମେଲାଉଛି କରୋନା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୫୧୦ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୧.୧୧ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୫୧୦ କରୋନା ଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୦୬ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୧,୧୨୬,୨୪୧ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୧୦୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୭,୫୧୭ରେ ପହଞ୍ଚିଛି। ଏହାସହ ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧,୬୮,୬୨୭। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୪୩,୦୧,୨୬୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ତେବେ ଦେଶରେ ପୁଣି କରୋନା କଡ ଲେଉଟାଉଥିବା କଥାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ଓ କେନ୍ଦ୍ର ସରକାର।

କରୋନାକୁ ନେଇ ଚିନ୍ତାରେ ଏବେ ଅଛନ୍ତି କେନ୍ଦ୍ର ସରକାର। ଗତ କିଛି ଦିନ ମଧ୍ୟରେ ଦେଶର ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ସମ୍ପୃକ୍ତି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ସରକାର। ତେବେ କ୍ରମାଗତ ଭାବରେ ବଢୁଥିବା ଆକ୍ରନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ମହାରାଷ୍ଟ୍ରର କେତେ ଅଂଚଳରେ ଲକଡାଉନ କରାଯାଇଛି।

ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜରୁରୀ ବୈଠକ ମଧ୍ୟ ପୂର୍ବରୁ ବସିସାରିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ବହୁ ବରିଷ୍ଠ ଅଫିସର ମାନେ ଯୋଗ ଦେଇଥିଲେ। ଦେଶରେ ଯେପରି ଭାବରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ତାହାକୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ମୋଟ୍‌ ଉପରେ କହିବାକୁ ଗଲେ କରୋନା ଚେନକୁ କେମିତି ରୋକାଯାଇପାରିବ ତାହାକୁ ନେଇ କେନ୍ଦ୍ର ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ନେଇ ସୂଚନା ରହିଛି।

ଏହାସହ ଆମେ ଯଦି ରାଜ୍ୟ ଉପରେ ନଜର ପକାଇବା, ତେବେ ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍‌ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏବେ ଚିନ୍ତାରେ ଅଛନ୍ତି ସରକାର।

You might also like