ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚିଡ଼ିଆଖାନା ବନ୍ଦ

କାନପୁର: ବଢ଼ିଲା ବାର୍ଡ ଫ୍ଲୁ ଭୟ। ଉତ୍ତର ପ୍ରଦେଶ କାନପୁର ପ୍ରାଣୀ ଉଦ୍ୟାନରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଚିଡ଼ିଆଖାନାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଜାନୁଆରୀ ୫ ତାରିଖରେ ଦୁଇ ଜଙ୍ଗଲୀ କୁକୁଡ଼ାଙ୍କ ମୃତ୍ୟୁ ପରେ ସାମ୍ପଲ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା। ଦୁଇଟି ଯାକ ସାମ୍ପଲ ପଜିଟିଭ୍ ବାହାରିଛି। ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରାଣୀ ଉଦ୍ୟାନରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଥିଲା। ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ କେରଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ରିପୋର୍ଟ ମିଳିଥିଲା। ପରେ ବିଭିନ୍ନ ରାଜ୍ୟରେ ଅଣ୍ଡା ଓ କୁକୁଡା ବିକ୍ରି ଉପରେ କଟକଣା ଲଗାଇଥିଲେ ସରକାର। ବାର୍ଡ ଫ୍ଲୁ ନେଇ ସତର୍କ ରହିବା ପାଇଁ ପଡ଼ୋଶୀ ରାଜ୍ୟଗୁଡ଼ିକୁ ମଧ୍ୟ ଆଲର୍ଟ ଜାରି କରାଯାଇଥିଲା।

ହରିୟାଣାର ପଞ୍ଚକୁଲା ଜିଲ୍ଲାର ଦୁଇଟି କୁକୁଡ଼ା କମ୍ପାନୀରୁ ନିଆଯାଇଥିବା ନମୁନାରେ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା (ବାର୍ଡ ଫ୍ଲୁ) ସ୍ପଷ୍ଟ ହେବା ପରେ ମଧ୍ୟପ୍ରଦେଶର ଶିବପୁରୀ, ରାଜଗଡ଼, ଶାଜାପୁରରେ ମଧ୍ୟ ବାର୍ଡ ଫ୍ଲୁ ମାମଲା ଦେଖିବାକୁ ମିଳିଛି।  ଉତ୍ତରପ୍ରଦେଶର ପ୍ରାଣୀ ଉଦ୍ୟାନ ଓ କାନପୁରକୁ ଆସିଥିବା ବିଦେଶୀ ପକ୍ଷୀଙ୍କ ଠାରେ ଫ୍ଲୁ ଲକ୍ଷଣ ଥିବା ସ୍ପଷ୍ଟ ହୋଇଛି।  ଆଉ ଏଥିପାଇଁ ପଶୁପାଳନ ଓ ଡାଏରୀ ବିଭାଗ, ପ୍ରଭାବିତ ରାଜ୍ୟଗୁଡ଼ିକ ପାଇଁ ପରାମର୍ଶ ଜାରି କରିଛନ୍ତି । ସଂକ୍ରମଣ ରୋକିବା ପାଇଁ  ତଥା ଆଗକୁ ଏହି ରୋଗ କିପରି ନ ବ୍ୟାପିବ ସେଥିପ୍ରତି ଅଧିକ  ଧ୍ୟାନ ଦିଆଯାଉଛି।

ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ପଦକ୍ଷେପ ନେଲା ରାଜ୍ୟ ପ୍ରାଣୀଧନ ବିଭାଗ।  ଚିଲିକାରୁ ପାଖାପାଖି  ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଥିଲା ପ୍ରାଣୀଧନ ବିଭାଗ। ଏହାସହ ଚିଲିକାରୁ ପକ୍ଷୀ ସାମ୍ପଲ ସହ OUATକୁ  କୁକୁଡ଼ାଙ୍କ ସାମ୍ପଲ ପଠାଯାଇଥିଲା। କେବଳ ଏତିକି ନୁହେଁ ବରଂ ଫୁଲନଖରା ପଶୁରୋଗ ଗବେଷଣା ପ୍ରତିଷ୍ଠାନ ବି ସାମ୍ପଲ ନିଆଯାଇଥିଲା। ପରେ ଚିଲିକା ନଳବଣରୁ ମଧ୍ୟ ସାମ୍ପଲ ପଠାଯାଇଥିଲା।

ଅନ୍ୟପଟେ ଏବ ସୁଦ୍ଧା ଓଡ଼ିଶାରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିନାହିଁ । ଏଯାଏ ପରୀକ୍ଷା ହୋଇଥିବା ୧୨ ହଜାର ୧୫୮ଟି ନମୁନାରେ ବାର୍ଡ ଫ୍ଲୁ ଲକ୍ଷଣ ନାହିଁ ବୋଲି କହିଛି ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ । ସେହିପରି ଅଧତ୍କ ପରୀକ୍ଷା ନିରୀକ୍ଷା ପାଇଁ ନମୁନା ଗୁଡ଼ିକୁ କୋଲକାତା ପଠାଯାଇଛି। କୌଣସି ଅଞ୍ଚଳରେ ପକ୍ଷୀ ମଡ଼କ ଦେଖାଗଲେ ତୁରନ୍ତ ସ୍ଥାନୀୟ ପ୍ରାଣୀ ଚିକିତ୍ସକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧତ୍କାରୀଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।

You might also like