୧୩ ବର୍ଷ ପରେ ଆସିଲା ସୋହରାବୁଦ୍ଦିନ୍‌ ଏନ୍‌କାଉଣ୍ଟର୍ ମାମଲାର ରାୟ

ମୁମ୍ବାଇ: ୧୩ ବର୍ଷ ପରେ ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ୍ ଏନ୍‌କାଉଣ୍ଟର ମାମଲାର ରାୟ ଆସିଛି। ତଥ୍ୟ ଏବଂ ପ୍ରମାଣ ଅଭାବରୁ ୨୨ ଜଣ ଅଭିଯୁକ୍ତଙ୍କୁ ମୁମ୍ବାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ନିର୍ଦ୍ଦୋଷରେ ଖଲାସ୍‌ କରିଛନ୍ତି।

ସରକାର ଏବଂ ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ନେଇ ବହୁତ ପରିଶ୍ରମ କରାଯାଇଥିଲା। ତେବେ ଆବଶ୍ୟକ ପ୍ରମାଣ ମିଳିନଥିବା କୋର୍ଟ କହିଛନ୍ତି। ମାମଲାରେ ୨୧୦ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରଯାଇଥିଲା। କୋର୍ଟରେ ମାମଲା ବେଳେ ୯୨ ଜଣ ସାକ୍ଷୀ ନିଜ ମତ ବଦଳାଇଛନ୍ତି। ତେବେ ପ୍ରମାଣ ସହ ସାକ୍ଷ୍ୟଙ୍କ ବୟାନ ମେଳ ଖାଇନଥିବା ସିବିଆଇ କୋର୍ଟ କହିଛନ୍ତି।

ସେହିପରି ପାରିପାର୍ଶ୍ୱିକ ସ୍ଥିତି ବି ମାମଲାକୁ ସଠିକ୍ ଦର୍ଶାଇ ପାରିନାହିଁ ବୋଲି ଅଦାଲତ କହିଛନ୍ତି। ଏହା ଏନ୍‌କାଉଣ୍ଟର୍ ନାଁ ହତ୍ୟା ତାକୁ ପ୍ରମାଣିତ କରାଯାଇପାରିନାହିଁ। ନିର୍ଦ୍ଦୋଷରେ ଖଲାସ ହୋଇଥିବା ୨୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ ପୁଲିସ୍‌ କର୍ମଚାରୀ ରହିଛନ୍ତି। ସେଥି ମଧ୍ୟରୁ ଗୁଜରାଟ ଏବଂ ମହାରାଷ୍ଟ୍ରର ବହୁ ପୁଲିସ୍‌ କର୍ମଚାରୀ ରହିଛନ୍ତି।

୨୬ ନଭେମ୍ବର ୨୦୦୫ରେ ଅହମ୍ମଦାବାଦ ନିକଟରେ ପୁଲିସ୍ ଏନ୍‌କାଉଣ୍ଟର୍‌ରେ ଗ୍ୟାଙ୍ଗଷ୍ଟାର୍ ସେଖ୍‌ ସୋହରାବୁଦ୍ଦିନ୍ ପ୍ରାଣ ହରାଇଥିଲା। ସିବିଆଇ ଅନୁସାରେ ସୋହରାବୁଦ୍ଦିନ୍ ଆତଙ୍କବାଦୀଙ୍କ ସହ ସମ୍ପର୍କରେ ଥିଲା। ତେବେ ତାକୁ ଗିରଫବେଳେ ଗୁଳିମାଡ଼ ହୋଇଥିଲା। ଯେଉଁଥିରେ ତାର ମୃତ୍ୟୁ ହୋଇଥିଲା। ତେବେ ହାଇଦ୍ରାବାଦ୍‌ରୁ ଅପହରଣ ପରେ ସୋହରାବୁଦ୍ଦିନ୍‌କୁ ହତ୍ୟା କରାଯାଇଥିବା ଅଭିଯୋଗରେ ମାମଲା ଦାଏର ହୋଇଥିଲା।

ଅନ୍ୟପଟେ ମାମଲାରେ ସଂପୃକ୍ତ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ୨୦୧୪ରେ କୋର୍ଟ ନିର୍ଦ୍ଦୋଷ ପ୍ରମାଣିତ କରିଥିଲେ। ଘଟଣା ବେଳେ ଅମିତ୍‌ ଶାହ ଗୁଜରାଟର ଗୃହମନ୍ତ୍ରୀ ଥିଲେ।

You might also like