ବଡ଼ ବିଶ୍ୱବିଦ୍ୟାଳୟରେ ନୂଆ ଭାରିଏଣ୍ଟ ଭୟ, ୨୦ ଦିନରେ ୨୬ ପ୍ରଫେସର ମୃତ

ଆଲିଗଡ଼ : ଭାରତରେ କରୋନା କହର ଜାରି ରହିଥିବା ବେଳେ ଲଗାତାର ନୂଆ ନୂଆ ଭାରିଏଣ୍ଟ୍ ସାମ୍ନାକୁ ଆସୁଛି । ଏବେ ଆଲିଗଡ଼ ମୁସଲିମ ୟୁନିଭରସିଟିରେ କୋଭିଡ ୧୯ର ନୂଆ ଭାରିଏଣ୍ଟକୁୁ ନେଇ ଚିନ୍ତା ବଢ଼ିଯାଇଛି । ଏଥିପାଇଁ ୟୁନିଭରସିଟିର ଭାଇସ୍ ଚାନସେଲର ତାରିକ ମନସୁର ଆଇସିଏମଆରକୁ ତୁରନ୍ତ ନମୂନା ଯାଞ୍ଚ ପାଇଁ ଚିଠି ଲେଖିଛନ୍ତି । ଆଲିଗଡ଼ ମୁସଲିମ ୟୁନିଭରସିଟିରେ ବିଗତ କିଛି ଦିନ ଭିତରେ ହୋଇଥିବା ମୃତ୍ୟୁ ପରେ ଅନେକ ଲୋକଙ୍କର ନମୂନା ସଂଗ୍ରହ କରାଯାଇଛି । ଯେତେ ଶୀଘ୍ର ହେଉଛି ନମୂନ ପରୀକ୍ଷଣ କରାଯାଇ ରିସର୍ଚ୍ଚ କରାଯାଉ ବୋଲି ଭିସି କହିଛନ୍ତି । ଫଳରେ ବିଶ୍ୱବିଦ୍ୟାଳୟରେ ବ୍ୟାପିଥିବା ସକ୍ରଂମଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଗତ ୨୦ ଦିନ ମଧ୍ୟରେ କରୋନା ସଂକ୍ରମିତ ହୋଇ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ୨୬ ଜଣ ପ୍ରଫେସର ପ୍ରାଣ ହରାଇଛନ୍ତି । ଏଥି ମଧ୍ୟରୁ ୧୦ ଜଣ ଅବସରପ୍ରାପ୍ତ ଅଧ୍ୟାପକଙ୍କ ସମେତ ୨୬ ଜଣ କାମ କରୁଥିବା ପ୍ରଫେସରଙ୍କ ମୃତ୍ୟୁ ଘଟିଛି। ୟୁନିଭରସିଟି ଭିସି ତାରିକ ମନସୁରଙ୍କ ବଡ ଭାଇ ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ପ୍ରାଣ ହରାଇଥିବା ସମସ୍ତ ଲୋକ ବିଶ୍ୱବିଦ୍ୟାଳୟ ପରିସରରେ ରହୁଥିବା ସୂଚନା ମିଳିଛି ।

କରୋନାର ନୂଆ ଭାରିଏଣ୍ଟକୁ ନେଇ ଭୟରେ ଅଛନ୍ତି ବିଶ୍ୱବିଦ୍ୟାଳୟର ଭିସି । ସଂଗୃହୀତ ନମୂନା ଗୁଡ଼ିକୁ ଦିଲ୍ଲୀର ସିଏସଆଇଆର୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିକୁ ପଠାଇଛନ୍ତି। କରୋନାର ନୂଆ ଭାରିଏଣ୍ଟ କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଆଇସିଏମଆର କିମ୍ବା ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

ସେପଟେ ଆଜି ଦେଶରେ ଦୀର୍ଘ ୪ ଦିନ ଧରି ଅଣାୟତ୍ତ କରିବା ପରେ କରୋନାର ପ୍ରକୋପ ସାମାନ୍ୟ କମିଛି । କରୋନାର ଦୈନିକ ସଂକ୍ରମଣ ଆଜି ୪ ଲକ୍ଷରୁ ସାମାନ୍ୟ କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୬୬, ୩୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୪୭ ରହିଛି ।

ତେବେ ଦେଶରେ ନୂଆ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହାର ବୃଦ୍ଧି ପାଉଛି । ଫଳରେ ଦେଶରେ ଆକ୍ଟିଭ ସଂଖ୍ୟାହାର କମୁଛି । ଦେଶରେ ୨୪ ଘଣ୍ଟାରେ ୩, ୫୩ ହଜାର ୫୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍‌ ୩୭, ୪୧, ୩୬୮ ରହିଛି । ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି ।

You might also like