ବିନା ଭ୍ୟାକ୍ସିନ ପ୍ରମାଣପତ୍ରରେ ମିଳିବନି ମଦ : ଦୋକାନୀଙ୍କୁ ଏସଡିଏମଙ୍କ କଡ଼ା ନର୍ଦ୍ଦେଶ

  • ଟିକାକରଣ ପାଇଁ ଲୋକଙ୍କୁ ସଚେତନ କରିବାକୁ ଏସଡିଏମଙ୍କ ନୂତନ ପଦକ୍ଷେପ
  • ବିନା ଭ୍ୟାକ୍ସିନ ପ୍ରମାଣପତ୍ରରେ ମଦ ନେଇପାରିବେନି ଗ୍ରାହକ
  • ଦୋକାନୀଙ୍କୁ ନିର୍ଦ୍ଦେଶ ଦେଲେ ଏସଡିଏମ

ଇଟାୱା : ଟିକାକରଣ ପ୍ରମାଣପତ୍ର ନଥିଲେ ମଦ ମିଳିବନି । ଗ୍ରାହକଙ୍କୁ ଦୋକାନ ଆଗରୁ ଫେରିବାକୁ ପଡ଼ିବ । ଗୋଟିଏ ପଟେ କରୋନା ସଂକ୍ରମଣରେ ଲଗାମ ଲଗାଇବା ପାଇଁ ସରକାର ଟୀକାକରଣ ଉପରେ ଅଭିଯାନ ଚଳାଇଛନ୍ତି, ଅନ୍ୟପକ୍ଷରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ନିଆରା ପଦକ୍ଷେପ ନିଆଯାଇଛି। ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଏପରି ସ୍ୱାଗତଯୋଗ୍ୟ ପଦକ୍ଷେପ ଆରମ୍ଭ ହୋଇଛି । ବିନା ଟିକାକରଣ ପ୍ରମାଣପତ୍ରରେ ମଦ ବିକ୍ରୟ କରିବାକୁ ମନା କରିଛନ୍ତି ସୈଫଇର ଡେପୁଟି କଲେକ୍ଟର ହେମସିଙ୍ଗ ।

ପ୍ରତି ମଦ ଦୋକାନ ସାମ୍ନାରେ ଲାଗିଛି ପୋଷ୍ଟର । କୋଭିଡ ଭ୍ୟାକ୍ସିନେସନର ସାର୍ଟିଫିକେଟ୍ ନଦେଖେିଲେ ମଦ ବିକ୍ରି ନକରିବାକୁ କଡ଼ା ନର୍ଦ୍ଦେଶ ଦେଇଛନ୍ତି ଏସଡିଏମ । ଡେପୁଟି କଲେକ୍ଟରଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ଲୋକମାନେ ସାଥିରେ ପ୍ରମାଣପତ୍ର ଆଣୁଥିବା ଦେଖିବାକୁ ମିଳିଛି । ତେବେ ନିୟମ ଅନୁସାରେ ମଦ ବିକ୍ରି ହେଉଛି ନା ନାହିଁ ପର୍ଯ୍ୟାୟକ୍ରମେ ଦୋକାନଗୁଡ଼ିକୁ ଯାଞ୍ଚ ହେବ, ନହେଲେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଲିଗଡରେ ମଦ ପିଇ ଅନେକ ଲୋକ ପ୍ରାଣ ହରାଇବା ପରେ ପ୍ରଶାସନ ଏବଂ ପୋଲିସ ଏବେ ଆକ୍ସନ ମୋଡରେ ଅଛନ୍ତି ।

ତେବେ ଏନେଇ ଅବକାରୀ ଅଧିକାରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଏପରି କୌଣସି ନିର୍ଦ୍ଦେଶାନାମା ଜାରି କରାଯାଇ ନାହିଁ । ଲୋକଙ୍କ ହିତ ଦୃଷ୍ଟିରୁ ଡେପୁଟି କଲେକ୍ଟର ହେମସିଙ୍ଗ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଟିକାକରଣ କରିବା ପାଇଁ ଲୋକଙ୍କୁ ସଚେତନ କରିବା ସ୍ୱାଗତଯୋଗ୍ୟ କିନ୍ତୁ ମଦ ବିକ୍ରୟ ପାଇଁ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ ।

ସେହିପରି ଟିକାକରଣ ପ୍ରମାଣପତ୍ର ଦାଖଲ ନକଲେ ଦରମା ମିଳିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ଫିରୋଜାବାଦ ଜିଲ୍ଲାପାଳ ଚନ୍ଦ୍ର ବିଜୟ ସିଂ । କରୋନାର ଭୟାବହତା ମଧ୍ୟରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଉତ୍ତରପ୍ରଦେଶରେ ମଧ୍ୟ ଅନେକ ସଂଖ୍ୟାରେ ଲୋକମାନେ କରୋନା ସଞ୍ଜିବନୀ ନେଇଛନ୍ତି । କିନ୍ତୁ ଫିରୋଜାବାଦର କିଛି ସରକାରୀ ବିଭାଗର କର୍ମଚାରୀମାନେ ଏବେ ସୁଦ୍ଧା ଟିକା ନେଇ ନାହାନ୍ତି । ଫଳରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି । ଯେଉଁ କର୍ମଚାରୀମାନେ ଏବେ ସୁଦ୍ଧା ଟିକାକରଣ କାର୍ଯ୍ୟକ୍ରମରେ ଭାଗ ନେଇ ନାହାନ୍ତି, ତାଙ୍କୁ ମାସ ଶେଷର ଦରମା ମିଳିବ ନାହିଁ।

ଏପରି ଚିଠି ଜାରି ହେବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ହଡକମ୍ପ ସୃଷ୍ଟି ହୋଇଛି । ଏହି ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରବେସନ ଅଧିକାରୀ ଡକ୍ଟର ପ୍ରଭା ଶଙ୍କର ଏକ ଚିଠିି ଜାରି କରିଛନ୍ତି । ସମସ୍ତ ସରକାରୀ କର୍ମଚାରୀ ୩ ଦିନ ଭିତରେ ନିଜର କୋଭିଡ ପ୍ରମାଣପତ୍ର ପ୍ରସ୍ତୁତ କରି କାର୍ଯ୍ୟାଳୟରେ ଜମା କରିବାକୁ କୁହାଯାଇଛି । ଏହି ଚିଠି ପାଇବା ଟିକା ନେଇନଥିବା କର୍ମଚାରୀ ଭ୍ୟାକ୍ସିନେସନ ସେଣ୍ଟର ପହଞ୍ଚି ଟିକା ନେବା ଆରମ୍ଭ କରିଛନ୍ତି ।

You might also like