ବଚ୍ଚନ ପରିବାରରେ ୪ ଜଣଙ୍କୁ କରୋନା: ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି ପଜିଟିଭ୍ ଚିହ୍ନଟ
ମୁମ୍ବାଇ: ବଚ୍ଚନ ପରିବାର ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାଆ ଝିଅଙ୍କ ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନର ସୂଚନା ଦେଇଛନ୍ତି। ବୋହୂ ଆଉ ନାତୁଣୀଙ୍କୁ ମିଶାଇ ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ମିଳିଛି।
ଗତକାଲି ଅମିତାଭ ଓ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିଲେ। ଅମିତାଭ କରୋନା ପଜିଟିଭ୍ ହୋଇଥିବା ନେଇ ଗତକାଲି ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଥିଲା। ତେବେ ବହୂ ଐଶ୍ୱର୍ଯ୍ୟା, ପତ୍ନୀ ଜୟା ଓ ନାତୁଣୀ ଆରାଧ୍ୟ୍ୟାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟରେ ଉଭୟ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବିଏମ୍ସି ସୂଚନା ଦେଇଛି।
ତେବେ ଆଜି ସକାଳୁ ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି ବିଏମ୍ସି(ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ)। ଏ ନେଇ ଅମିତାଭଙ୍କ ବଙ୍ଗଳା ଜଲ୍ସା ବାହାରେ ବିଏମ୍ସି ନୋଟିସ୍ ମାରି କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ୍ କରିବା ଆରମ୍ଭ କରିଦେଇଛି ବିଏମ୍ସି।
ସେହିପରି ଆଉ ଜଣେ ବଲିଉଡ୍ ଷ୍ଟାର୍ ଅନୁପମ୍ ଖେର୍ଙ୍କ ଘରେ ପଶିଛି କରୋନା। ତାଙ୍କ ମାଆଙ୍କୁ କରୋନା ହୋଇଥିବା ନିଜେ ଅନୁପମ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀଙ୍କୁ ବି କରୋନା ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁପମଙ୍କ ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି। ସେପଟେ ଅଭିନେତ୍ରୀ ରେଖାଙ୍କ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭି ଚିହ୍ନଟ ହେବା ପରେ ତାଙ୍କ ବଙ୍ଗଳା ସିଲ୍ କରିଛି ପ୍ରଶାସନ।