ଡାକ୍ତର ଓ ତାଙ୍କର ଗର୍ଭବତୀ ପତ୍ନୀ କରୋନା ଆକ୍ରାନ୍ତ

ଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି। ଗୁରୁବାର ଦିନ ଦିଲ୍ଲୀ ଏମ୍ସର ଜଣେ କାର୍ଯ୍ୟରତ ଡାକ୍ତର କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଏବେ ତାଙ୍କର ଗର୍ଭବତୀ ପତ୍ନୀଙ୍କର  କରୋନା ପଜିଟିଭ ଥିବା ଜଣାପଡ଼ିଛି। ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଦିଲ୍ଲୀ ଏମ୍ସରେ ତାଙ୍କର ପ୍ରସବ କରାଯିବ। ତେବେ ସଂପୃକ୍ତ ଡାକ୍ତର ଜଣକ ବିଦେଶ ଗ୍ରସ୍ତ କରିନିଥିଲେ। ଯେଉଁମାନେ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଏମ୍ସର କର୍ତ୍ତୃପକ୍ଷ କହିଛନ୍ତି,  ଯେ ପ୍ରସବ ସମୟରେ ଆମେ ସତର୍କତା ଅବଲମ୍ବନ କରିବୁ ଏବଂ ଚିକିତ୍ସା ପାଇଁ ଯେଉଁ ପ୍ରୋଟୋକଲ ଅଛି ତାହା ଏଠାରେ ଥିବା ଡାକ୍ତରମାନେ ଅନୁସରଣ କରିବେ। ଏହା ପୂର୍ବରୁ ବୁଧବାର ଦିନ ମଧ୍ୟ ମେଡ଼ିକାଲରେ ୨ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ।

ଏହି ୨ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ ଡାକ୍ତର କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ।  ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ଡାକ୍ତର ଜଣଙ୍କ ସଂକ୍ରମିତ ହୋଇଥିଲେ। ଅନ୍ୟଜଣେ ମହିଳା ଡାକ୍ତର ଦୁବାଇରୁ ଫେରିଥିଲେ।  ଦୁହିଁଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି।

ଅନ୍ୟପଟେ ବୁଧବାର ଦିନ ଦିଲ୍ଲୀର ସର୍ଦ୍ଦାର ପଟେଲ ହସ୍ପିଟାଲର ଜଣେ ଡାକ୍ତର କରୋନା ପଜିଟିଭ୍ ଥିବା ଜଣାପଡିଛି। ସେହିଦିନ ଦିଲ୍ଲୀ ଷ୍ଟେଟ କ୍ୟାନସର ପ୍ରତିଷ୍ଠାନର ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ମଧ୍ୟ ବିଦେଶକୁ ଯାଇନଥିଲେ କି କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିନଥିଲେ। କିନ୍ତୁ ସେ ବ୍ରିଟେନରୁ ଫେରିଥିବା ତାଙ୍କ ଭାଇଙ୍କ ସଂସ୍ପର୍ଶରେ ଆସିଥିଲେ।

ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୪୧ ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଫଳରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି। ଗୁରୁବାର ଦିନ ବାହାରିଥିବା ୧୪୧ ଟି ନୂଆ ମାମଲା ମଧ୍ୟରୁ ୧୨୯ ଜଣ ତବ୍‌ଲିଗୀ ଜମାତରୁ ଆସିଛନ୍ତି।

You might also like