‘ବ୍ଲାକ୍ ଫଙ୍ଗସ’କୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ଜାଲରେ ଛନ୍ଦି ହୋଇ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି । ବିଭିନ୍ନ ରାଜ୍ୟ କରୋନାର ଏହି ଦ୍ୱିତୀୟ ଲହରରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ସେମାନେ ଏବେ ତୃତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କଲେଣି ।

ଦେଶରେ ସଧାରଣ ଜନତା କରୋନା ଦାଉରେ ଛଟପଟ ହେଉଥିବା ବେଳେ ଏବେ ବ୍ଲାକ୍ ଫଙ୍ଗସ ରୋଗ ଲୋକଙ୍କୁ ଅଧିକ ଭୟଭୀତ କଲାଣି । ତେବେ ଏହି ବ୍ଲାକ୍ ଫଙ୍ଗସ ରୋଗ କେଉଁଠୁ ଆସିଲା, ସେନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୂଚନା ଦେଇ କହିଛନ୍ତି ଯେ, ଏହି ରୋଗ ବହୁ ଆଗରୁ ଅଛି । ହେଲେ ପୂର୍ବରୁ ଏହା ଏତେ ମାତ୍ରାରେ ସଂକ୍ରମଣ ହେଉନଥିଲା । କିନ୍ତୁ ଏବେ କରେନା ପାଇଁ ଏହାର ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ବ୍ଲାକ୍ ଫଙ୍ଗସ ରୋଗକୁ ମ୍ୟୁକୋର ମାଇକୋସିସ୍ ମଧ୍ୟ କୁହାଯାଏ ।

ବ୍ଲାକ୍ ଫଙ୍ଗସ ରୋଗ, ବିଶେଷକରି ଶରୀରରେ ସୁଗାର ଲେବଲ ବେଶି ରହିଲେ ଏବଂ ଇମ୍ୟୁନିଟି ପାୱାର କମିଲେ ଦେଖାଯାଇଥାଏ । କେମୋ ନେଉଥିବା କ୍ୟାନସର ରୋଗୀଙ୍କ ଠାରେ ମଧ୍ୟ ଏହା ଦେଖାଯାଇଥାଏ । ହେଲେ ଏବେ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ବ୍ଲାକ ଫଙ୍ଗସ ରୋଗ ଦେଖାଯାଉଛି ।

ଚିକିତ୍ସା ବେଳେ ଷ୍ଟେରଏଡ ନେଉଥିବା ରୋଗୀକୁ ଏହି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସଂଭାବନା ବେଶି ରହିଛି । ତେଣୁ ରୋଗୀକୁ ଆବଶ୍ୟକ ଅନୁସାରେ ଉଚିତ ପରିମାଣର ଷ୍ଟେରଏଡ ନେବାକୁ ପରାମର୍ଶ ଦେଇଛନ୍ତି ରଣଦୀପ ଗୁଲେରିଆ । ଆବଶ୍ୟକଠାରୁ ଅଧିକ ଷ୍ଟେରଏଡ ନେଲେ ଏହା ଘାତକ ସିଦ୍ଧ ହୋଇପାରେ । ମଧୁମେହ ରୋଗୀ ସୁଗାର ଲେବଲ ନିୟନ୍ତ୍ରଣ କରି ଷ୍ଟେରଏଡ ନେବା ଜରୁରୀ ବୋଲି କହିଛନ୍ତି ଗୁଲେରିଆ ।

You might also like