କାହିଁକି ବଢୁଛି କରୋନା, ଏମ୍ସ ଡାକ୍ତର କଲେ ମହାଖୁଲାସା

କଣ କହିଲେ ଡାକ୍ତର?

ନୂଆଦିଲ୍ଲୀ: କରୋନା ନାଁ ଶୁଣିଲେ ଏବେ  ସମସ୍ତେ ଛାନିଆଁ ହୋଇଯାଉଛନ୍ତି। କାରଣ ଏହି ଅଦୃଶ୍ୟ ମହାମାରୀ ଯେପରି ଭାବରେ ବଢୁଛି ତାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି। ତେବେ ଏଠାରେ ସାଧାରଣରେ ଏକ ପ୍ରଶ୍ନ ଆସେ, କାହିଁକି କରୋନା ମହାମାରୀ ଏତେ ମାତ୍ରାରେ ବଢିଲା? ଏହା ପୂର୍ବରୁ ମଧ୍ୟ କରୋନାର ପ୍ରଥମ ଲହରୀ ଆସିଛି। କିନ୍ତୁ ଏତେ ମାତ୍ରାରେ ତାହା ବିପଦଜନକ ହୋଇନଥିଲା। କିନ୍ତୁ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ହେବାରେ ଲାଗିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଏତେ ମାତ୍ରାରେ ବଢିବା ପଛରେ କଣ କାରଣ ରହିଛି ସେନେଇ ଏମ୍ସ ଡାକ୍ତର ସୂଚନା ଦେଇଛନ୍ତି।

ଏମ୍ସ ଡାକ୍ତର ରଣଦୀପ ଗୁଲେରିଆଙ୍କ କହିବା ଅନୁସାରେ, ଜାନୁଆରି ଏବଂ ଫେବ୍ରୁଆରିରେ ଦେ‌ଶରେ ଟିକାକରଣ ଆରମ୍ଭ ହେବା ପରେ ସଂକ୍ରମଣ ସଂଖ୍ୟା ଟିକେ କମ ହୋଇଥିଲା। ସଂକ୍ରମଣ କମ୍‌ ହେବାରୁ କରୋନା କଟକଣା ଲୋକେ ଆଉ ସେତେଟା ମାନିନଥିଲେ। ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତା ମଧ୍ୟ ପାଳନ କରିନଥିଲେ। ଆଉ ଏହି ସମୟରେ କରୋନା ଭୂତାଣୁ ନିଜର ରୂପ ବଦଳାଇ ବିଦେଶ ଷ୍ଟ୍ରେନ ସହ ମିଶି ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନକୁ ପରିବର୍ତ୍ତିତ ହୋଇଥିଲା ଏବଂ ଅଧିକ ସଂକ୍ରାମକ ହୋଇଥିଲା। ଆଉ ଭାଇରସ କେତେ ମାତ୍ରାରେ ସଂକ୍ରମଣ ରହିଛି ତାହା ବର୍ତ୍ତମାନ ସମୟରୁ ଜଣାପଡୁଛି ବୋଲି କହିଛନ୍ତି ଏମ୍ସ ଡାକ୍ତର।

କେବଳ ଏତିକି ନୁହେଁ ବରଂ ଦେଶରେ ବର୍ତ୍ତମାନ ସମୟରେ ଚାଲୁଥିବା ଧାର୍ମିକ ତଥା ରାଜନୈତିକ କାର୍ଯ୍ୟକଳାପକୁ ନେଇ ଏମ୍ସ ମୁଖ୍ୟ ଉଦବେଗ ପ୍ରକାଶ କରିବା ସହ ଏହି କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଥିଲା ବୋଲି ସେ କହିଛନ୍ତି। ଲୋକଙ୍କ ଜୀବନଠାରୁ ଆଉ କିଛି ମୂଲ୍ୟବାନ ନାହିଁ ବୋଲି ମଧ୍ୟ ଡାକ୍କର ଗୁଲେରିଆ କହିଛନ୍ତି।

ଏବେ ଦେଶରେ କରୋନା ବିସ୍ଫୋରକ ରୂପ ଧାରଣ କରିସାରିଛି । ମହାମାରୀ ଅନିୟନ୍ତ୍ରିତ ମନେ ହେଉଛି । ପ୍ରତିଦିନ କୋଭିଡ ସଂକ୍ରମଣର ନୂଆ ରେକର୍ଡ ସାମ୍ନାକୁ ଆସୁଛି। ଆଜି ଦିନକରେ ସର୍ବାଧିକ ୧୫୦୧ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦କୁ ବୃଦ୍ଧି ପାଇଲାଣି । ସେହିପରି ଆଜି ଦିନକରେ ସର୍ବାଧିକ ୨.୬୧ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୪୭,୮୮,୧୦୯ରେ ପହଞ୍ଚିଛି । ସେହିପରି କରୋନାକୁ ମାତ ଦେଇ ଏ‍ବେ ସୁଦ୍ଧା ୧ କୋଟି ୨୮ ଲକ୍ଷ ୦୯ ହଜାର ୬୪୩ରେ ଲୋକ ଘରକୁ ଫେରିଛନ୍ତି । ଅନ୍ୟପଟେ ଏବେ ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୮୦୧୩୧୬। ତେବେ ସଚେତନ ନହେଲେ ଆହୁରି ବ୍ୟାପକ ସଂଖ୍ୟାରେ ସଂକ୍ରମଣ ବଢିବ ବୋଲି ଏମ୍ସ ଡାକ୍ତର କହିଛନ୍ତି।

You might also like