କୋର୍ଟ କହିଲେ କର୍ତ୍ତବ୍ୟରୁ ଓହରି ପାରିବେନି ସନ୍ୟାସୀ; ପରିବାର କଥା ବୁଝିବାକୁ ବାଧ୍ୟ

ଅହମଦାବାଦ୍‌: ସଂସାର ଛାଡ଼ି ସନ୍ୟାସୀ ହେଇ ଯାଉଥିବା ଲୋକମାନେ ମଧ୍ୟ ନିଜ କର୍ତ୍ତବ୍ୟରୁ ଓହରି ପାରିପାରିବେ ନାହିଁ। ଅର୍ଥାତ୍ ସେମାନେ ସଂସାର ତ୍ୟାଗ କଲେ ମଧ୍ୟ ନିଜ ପରିବାର ଲୋକଙ୍କ ଭରଣପୋଷଣ ପାଇଁ ମାସିକ ଅର୍ଥ ଦେବେ।

ଆଜି ଏଠାରେ ଥିବା ଏକ ଫ୍ୟାମିଲି କୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ଏଥିସହ ଜଣେ ସନ୍ୟାସୀଙ୍କୁ ନିଜ ବାପାମା’ଙ୍କ ଭରଣପୋଷଣ ପାଇଁ ମାସିକ ୧୦ ହଜାର ଟଙ୍କା ଲେଖାଏ ଦେବାକୁ ମଧ୍ୟ କହିଛନ୍ତି। ଏହି ନିର୍ଦ୍ଦେଶ ଦେବା ବେଳେ କୋର୍ଟ କହିଛନ୍ତି, “ପୁଅ ହିସାବରେ ବାପା ମା’ଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ସମ୍ପାଦନ କରିବାକୁ ସମସ୍ତେ ବାଧ୍ୟ। ଜଣେ ସନ୍ୟାସୀ ହୋଇଗଲେ ବୋଲି ସେ କେବେ ହେଲେ ନିଜ ଦାୟିତ୍ୱରୁ ମୁକୁଳି ପାରିବେ ନାହିଁ।”

ଏକ ପ୍ରସିଦ୍ଧ କଲେଜରୁ ଫାର୍ମାସୀରେ ଡିଗ୍ରୀ ହାସଲ କରିଥିବା ୨୭ ବର୍ଷୀୟ ଧର୍ମେଶ ଗୋଲ ୨୦୧୫ ଜୁନ୍‌ ମାସରେ ହଠାତ୍‌ ଭଲ ଚାକିରି ଛାଡ଼ି ସନ୍ୟାସୀ ହୋଇଯାଇଥିଲେ। ସେ ଇସ୍କନ, ବହଦାଜ ସହ ଜଡ଼ିତ ହେବା ସହ ସେମାନଙ୍କର ଏନଜିଓ ଅକ୍ଷୟପାତ୍ର, ଟଚ୍‌ ଷ୍ଟୋନ ଓ ଆନ୍ନାପୁରମ ପାଇଁ କାର୍ଯ୍ୟ କରିଥିଲେ।

ଏହାପରେ ବାପା ମା’ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ଓ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ସେ ଏଥିରେ ରାଜି ନ ହେବାରୁ ବାପା ମା’ ନିଜର ଭରଣପୋଷଣ ପାଇଁ ଅହମଦାବାଦ ଫ୍ୟାମିଲି କୋର୍ଟରେ ୫୦ ହଜାର ଟଙ୍କାର କେସ୍‌ କରିଥିଲେ। ବାପା ମା’ ଦିବ୍ୟାଙ୍ଗ ହୋଇଥିବାରୁ ରୋଜଗାର କରିବାକୁ ସେମାନେ ଅକ୍ଷମ ଥିବା କୋର୍ଟଙ୍କୁ ଜଣାଇଥିଲେ।

ଏଥିସହ ପୁଅର ଉଚ୍ଚଶିକ୍ଷା ପାଇଁ ବାପା ୩୫ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିବା କହିଥିଲେ। ବୃଢ଼ାବେଳେ ପୁଅ ଧର୍ମେଶ ସେମାନଙ୍କୁ ସାହା ହେବ ବୋଲି ସେମାନେ ଆଶା କରିଥିଲେ। ହେଲେ ଧର୍ମେଶ ସନ୍ୟାସୀ ହୋଇଯିବାରୁ ଉଭୟଙ୍କ ଚଳିବା ଏକ ପ୍ରକାରର ଅସମ୍ଭବ ହୋଇଯାଇଥିଲା। କୋର୍ଟ ଏହାକୁ ଶୁଣିବା ପରେ ସନ୍ୟାସୀ ପୁଅକୁ ୧୦ ହଜାର ଟଙ୍କା ଲେଖାଏ ମା’ ବାପାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମାତ୍ର ୧୦ ହଜାର ଟଙ୍କା ଦେବାକୁ କୋର୍ଟ କହିଥିବାରୁ ଏଥିରେ ଉଭୟ ବାପା ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ସେମାନେ ଗୁଜରାଟ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

You might also like