ପଶ୍ଚିମବଙ୍ଗ ରାଜନୀତି: ରାଜନୈତିକ ତିକ୍ତତାରେ ଲାଗିଲା ମିଠା ମିଠା ସ୍ୱାଦ

କୋଲକାତା: ପଶ୍ଚିମବଙ୍ଗରେ ଏବେ ଜୋର ଧରିଛି ନିର୍ବାଚନୀ ତାତି । ତେଜୁଛି ପ୍ରଚାର ଯୁଦ୍ଧ। ତେବେ ଏହି ରାଜନୈତିକ ତିକ୍ତତାରେ ଏବେ ଲାଗିଛି ମିଠା ମିଠା ସ୍ୱାଦ। ମିଠା ଦୋକାନରେ ବି ଏଠି ନିର୍ବାଚନୀ ଝଲକ । ଭଳିକି ଭଳି ମିଠାରେ ଏବେ ଦେଖିବାକୁ ମିଳୁଛି ରାଜନୈତିକ ବାର୍ତ୍ତା।

ତୃଣମୂଳ ହେଉ ବା ବିଜେପି, ବାମ ଦଳ ହେଉ କିମ୍ବା କଂଗ୍ରେସ । ସବୁ ପାର୍ଟିର ଚିହ୍ନ ଅନୁଯାୟୀ ପ୍ରସ୍ତୁତି ହୋଇଛି ଭିନ୍ନ ଭିନ୍ନ ପ୍ରକାରର ମିଠା । ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ଜମି ଆସୁଥିବାବେଳେ ଏହାକୁ ଆହୁରୁ ସୁଆଦିଆ କରିବାକୁ ପ୍ରୟାସ କରିଛି କୋଲକତାର ଏହି ବଳରାମ ମଲ୍ଲିକ ରାଧାରମଣ ମଲ୍ଲିକ ମିଷ୍ଟାନ୍ନ ଭଣ୍ଡାର ।

କେବଳ ପାର୍ଟି ସିମ୍ବଲ ନୁହେଁ, ରାଜନୈତିକ ସ୍ଲୋଗାନ ବି ଲେଖାଯାଇଛି ଏହି ମିଠାରେ । କେଉଁଠି ‘ଖେଲ ହବେ’ ତ କେଉଁଠି ‘ ଜୟ ଶ୍ରୀରାମ’ ଲେଖାଯାଇଛି। କେଉଁଠି ସନ୍ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ତ କେଉଁଠି ଦିଦିଙ୍କ ଛବି ଅଙ୍କାଯାଇଛି । ଏଭଳି ମିଠା  ପାଇଁ ଦିନକୁ ଅତିକମ୍‌ରେ ୧୫୦ ଅର୍ଡର ଆସୁଛି ବୋଲି ମିଠା ଦୋକାନୀ କହନ୍ତି।

ପୁଣି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କେଉଁ କେଉଁ ମିଠାରେ ଦିଦି ଆଉ ମୋଦିଙ୍କ ଚିତ୍ର ବି ଉତାରିଛନ୍ତି ଦୋକାନୀ।  ତେବେ ନିର୍ବାଚନୀ ଅବସରରେ ଏଭଳି ମିଷ୍ଟାନ୍ନ ତିଆରି ପଛରେ ମତଦାନ ବାର୍ତ୍ତା ଉଦ୍ଦେଶ୍ୟ ଥିବା କହିଛନ୍ତି ଦୋକାନ ମାଲିକ ।

ଯେଉଦିନଠାରୁ ନିର୍ବାଚନ ତାରିଖ ଘୋଷଣା ହେଲା ସେବେଠାରୁ, ଏଭଳି ମିଠା ତିଆରିରେ ଲାଗିପଡିଛନ୍ତି କାରିଗର । ଲୋକଙ୍କୁ ମଧ୍ୟ ଏହି ମିଠା ବେଶ ପସନ୍ଦ ଆସୁଛି । ଏହାର ଦାମ ୭୦ ଟଙ୍କାରୁ ଆରମ୍ଭ କରି ୧୭୫ ଟଙ୍କା ଯାଏଁ ରହିଛି। ୨୫୦ ଗ୍ରାମର ସନ୍ଦେଶ ଯେଉଁଥିରେ ଦଳୀୟ ଚିହ୍ନ ଏବଂ ଚିତ୍ର ରହିଛି ତାହାର ଦାମ୍‌ ୧୭୦ ଟଙ୍କା ରହିଛି। ସମାନ ସାଇଜ୍‌ର ମିଠା ଯେଉଁଥିରେ ସ୍ଲୋଗାନ ଲେଖାଯାଇଛି ତାହାର ଦାମ୍‌ ୭୦ ଟଙ୍କା ରହିଛି।

ଦୋକାନ ମାଲିକଙ୍କ କହିବା ଅନୁଯାୟୀ, ସେ ସବୁବେଳେ କରେଣ୍ଟ ଟ୍ରେଣ୍ଡକୁ ନେଇ ମିଠା ପ୍ରସ୍ତୁତ କରନ୍ତି। ଏପରିକି କ୍ରିକେଟ ଫୁଟବଲ ୱାର୍ଲଡ କପ୍‌ ବେଳେ ମଧ୍ୟ ସେ ଏହାକୁ ନେଇ ମିଠା ପ୍ରସ୍ତୁତ କରନ୍ତି। ଗଣତନ୍ତ୍ରରେ ନିର୍ବାଚନ ହେଉଛି ଏକ ବଡ ମହୋତ୍ସବ । ତେଣୁ ଆମେ ଏହାକୁ ନେଇ ମିଠା ପ୍ରସ୍ତୁତ କରୁଛୁ ବୋଲି କହିଛନ୍ତି।

ଏଠି କହିରଖିବୁ, ଏଠାରେ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ହେବ। ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ଏହା ଏପ୍ରିଲ ୨୯ରେ ସରିବ। ଭୋଟ ଗଣତି ମେ’ ୨ ତାରିଖରେ ହେବ ।

You might also like