ପାଖେଇ ଆସୁଛି ବିଧାନସଭା ନିର୍ବାଚନ: ରାଜ୍ୟକୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ କଲେ ସରକାର

ଗୌହାଟି: ଆସାମ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ସରକାର ବୁଧବାର ଦେଶକୁ ପୁଣି ଅଶାନ୍ତ କ୍ଷେତ୍ର (disturbed area) ଘୋଷଣା କରିଛନ୍ତି।  ରାଜ୍ୟପାଳ ଜଗଦୀଶ ମୁଖୀ Armed Forces Special Powers Act ବା (AFSPA) ଅନୁସାରେ ପୁରା ରାଜ୍ୟକୁ ୬ ମାସ ପାଇଁ ଅଶାନ୍ତ କ୍ଷେତ୍ର ବୋଲି ଘୋଷଣା କରିଛନ୍ତି।  ଫେବ୍ରୁଆରୀ ୨୭ରୁ ଆଗାମୀ ୬ ମାସ ପାଇଁ ଏହି ଘୋଷଣା ବଳବତ୍ତର ରହିବ। 

ତେବେ ରାଜ୍ୟପାଳ ଚାହିଁଲେ ଏହି ଅବଧି ସରିବା ପୂର୍ବରୁ ଏହାକୁ ପ୍ରତ୍ୟାହାର କରିପାରିବେ । ଆସାମର ବିଭିନ୍ନ ସ୍ଥାନରୁ ବିପୁଳ ମାରଣାସ୍ତ୍ର ଜବତ ହେବା ପରେ ଗତବର୍ଷ ଅଗଷ୍ଟ୨୮ରେ ସଂପୂର୍ଣ୍ଣ ଆସାମକୁ ଅଶାନ୍ତ କ୍ଷେତ୍ର ଭାବେ ଘୋଷଣା କରାଯାଇଥିଲା। ଆଜି ଏହାକୁ ଆଉ ୬ ମାସ ପାଇଁ ବଢ଼ାଇ ଦିଆଯାଇଛି ।  

ତେବେ ସରକାର କାହିଁକି ଏପରି ପଦକ୍ଷେପ ନେଲେ ତାହାର କୌଣସି କାରଣ ସ୍ପଷ୍ଟ କରାଯାଇ ନାହିଁ।  ଆସନ୍ତା ଏପ୍ରିଲ-ମେ’ରେ ବିଧାନସଭା ଥିବାବେଳେ ରାଜ୍ୟର କିଛି ଅଞ୍ଚଳରୁ ମାରଣାସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ଅନ୍ୟପକ୍ଷେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ସୁରକ୍ଷାକର୍ମୀଙ୍କ ଉପରେ ହମଲା ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ଘୋଷଣା କରି ଥାଇ ପାରନ୍ତି ବୋଲି କୁହାଯାଉଛି।

ଏଠି କହିରଖିବୁ, ଏହା ପୂର୍ବରୁ ଅର୍ଥାତ୍‌ ୧୯୯୦ରେ ଆସାମରେ AFSPA ଲାଗୁ କରାଯାଇଥିଲା। ରାଜ୍ୟ ସରକାରଙ୍କ ସମୀକ୍ଷା ପରେ ପ୍ରତି ୬ ମାସରେ ଏହାର ଅବଧି ବୃଦ୍ଧି କରାଯାଉଥିଲା।

You might also like