୮ ପୃଷ୍ଠାର ଲମ୍ବା ଚିଠି ଲେଖିଲେ କେନ୍ଦ୍ର କୃଷି ମନ୍ତ୍ରୀ
ନୂଆଦିଲ୍ଲୀ: ଆନ୍ଦୋଳନରତ ଚାଷୀଙ୍କୁ ମନାଇବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିରନ୍ତର ଉଦ୍ୟମ। ଚାଷୀ ସଂଗଠନ ସହ ୬ଟି ପର୍ଯ୍ୟାୟରେ ଆଲୋଚନା ପରେ ବି କୌଣସି ନିଷ୍କର୍ସ ନଆସିବାରୁ ଆଜି ଚାଷୀମାନଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ନୂଆ କୃଷି ଆଇନ୍ ଦେଶର କୃଷି ଓ କୃଷକଙ୍କୁ ଶସକ୍ତ କରିବ ବୋଲି ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି କୃଷି ମନ୍ତ୍ରୀ। ୮ ପୃଷ୍ଠାର ଏହି ଲମ୍ବା ଚିଠିରେ ଏମ୍ଏସ୍ପି ସହ କୃଷକଙ୍କ ଅନ୍ୟ ୬ଟି ଦାବି ପ୍ରସଙ୍ଗରେ ସରକାର ଲିଖିତ ଭାବେ ପ୍ରତିଶ୍ରୁତି ଦେବାକୁ ପ୍ରସ୍ତୁତ ରହିଥିବା ଉଲ୍ଲେଖ କରିଛନ୍ତି।
ସେହିଭଳି କେନ୍ଦ୍ରର ମୋଦି ସରକାର ଚାଷୀ ଓ ଚାଷ କ୍ଷେତ୍ର ଲାଗି ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ତଥ୍ୟ ରଖିଛନ୍ତି। ସେପଟେ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଚାଷୀମାନଙ୍କ ମନରେ ଦ୍ୱନ୍ଦ୍ୱ ଭର୍ତ୍ତି କରୁଥିବା ବେଳେ ସେମାନେ ନିଜ ଉଦ୍ଦେଶ୍ୟ ପୂରଣ ପାଇଁ ଚାଷୀମାନଙ୍କୁ ବ୍ୟବହାର କରୁଥିବା କଥା ମଧ୍ୟ ଚିଠିରେ ଲେଖିଛନ୍ତି ତୋମାର। କେନ୍ଦ୍ରର ନୂଆ କୃଷି ଆଇନ ଉଚ୍ଛେଦ ଦାବିରୁ ଚାଷୀଙ୍କ ଆନ୍ଦୋଳନକୁ ୨୨ ଦିନରେ ପହଞ୍ଚିଥିବା ବେଳେ ଚାଷୀମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି।