ବିକଟାଳ ସ୍ୱାସ୍ଥ୍ୟ ସେବା ! ବିଧାୟକଙ୍କ ପତ୍ନୀଙ୍କୁ ମିଳିଲାନି ବେଡ୍‌, ୩ ଘଣ୍ଟା ଚଟାଣରେ ଶୋଇଲେ..

ଆଗ୍ରା: ଉତ୍ତରପ୍ରଦେଶ, ଫିରୋଜାବାଦ ଜିଲ୍ଲାର ଜସନାର ବିଧାୟକ ରାମ ଗୋପାଳ ତଥା ପପୁ ଲୋଧି ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏସଏନ ମେଡିକାଲ କଲେଜରେ କରୋନା କାଳରେ ରୋଗୀଙ୍କ ପ୍ରତି ଅବହେଳା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ ସିଧା ସଳଖ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କୁ ମେଡ଼ିକାଲ ଅଣାଯିବା ପରେ ଦୀର୍ଘ ତିନି ଘଣ୍ଟା ପର୍ଯ୍ୟନ୍ତ ଚଟାଣରେ ଶୋଇବାକୁ ପଡ଼ିଥିଲା । ଖାଲି ସେତିକି ନୁହେଁ ବିଧାୟକ ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ସେନେଇ ମଧ୍ୟ ତାଙ୍କୁ ସୂଚନା ଦିଆଯାଉନଥିଲା । ମେଡିକାଲରେ ନା ଖାଇବାକୁ ଦିଆଯାଉଛି, ନା ପିଇବା ପାଇଁ ପାଣି ଦିଆଯାଉଛି । ବିଧାୟକଙ୍କ କହିବାନୁଯାୟୀ ଅଧିକାରୀ  କିମ୍ବା ଡାକ୍ତର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି ।

ବିଧାୟକ ରାମ ଗୋପାଳ ତଥା ପପୁ ଲୋଧି ୩୦ ଏପ୍ରିଲରେ କରୋନା ସଂକ୍ରମିତ  ଚିହ୍ନଟ ହୋଇଥିଲେ । ତାଙ୍କ ସହ ପତ୍ନୀ ସାନ୍ଧ୍ୟା ଲୋଧି ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ । ପ୍ରଥମେ ଉଭୟଙ୍କୁ ଫିରୋଜାବାଦର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତା’ପରେ ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଶନିବାର ତାଙ୍କୁ ସେଠାରୁ ଡିସ୍‌ଚାର୍ଜ କରାଯାଇଥିଲା । କିନ୍ତୁ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା । ତେଣୁ ତାଙ୍କୁ ଆଗ୍ରାର ଏସଏନ ମେଡିକାଲ କଲେଜକୁ  ମେ’ ୭ ତାରିଖରେ ହିଁ ପଠାଯାଇଥିଲା ।

ଯେଉଁଠାରେ ବିଧାୟକଙ୍କ କହିବାନୁଯାୟୀ ତାଙ୍କ ପତ୍ନୀଙ୍କୁ ୩ ଘଣ୍ଟା ଧରି ଚଟାଣରେ ଶୁଆଇ ଦିଆଯାଇଥିଲା । ଜିଲ୍ଲା ଅଧିକାରୀଙ୍କ କହିବା ପରେ ବଡ଼ କଷ୍ଟରେ ତାଙ୍କ ପତ୍ନୀଙ୍କୁ ମେଡିକାଲରେ ବେଡ୍‌ ମିଳିଥିଲା । ଏବେ ବି ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ତାହାର ସୂଚନା ଦିଆଯାଉ ନାହିଁ । ବିଜେପି ବିଧାୟକଙ୍କ କହିବାନୁସାରେ, ଆଗ୍ରା ଏସଏନ ମେଡିକାଲ କଲେଜରେ ଉତ୍ତମ ଚିକିତ୍ସା  ଯୋଗାଇ ଦିଆଯାଉ ନାହିଁ ।

ତେବେ ଏଥିରୁ ସ୍ପଷ୍ଟ ଯେ, ଉତ୍ତର ପ୍ରଦେଶରେ ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି । ଯେଉଁଠି ଜଣେ ବିଧାୟକଙ୍କ ପତ୍ନୀକୁ ବି ମେଡିକାଲର ଚଟାଣରେ ଶୁଆଇ ଦିଆଯାଉଛି । ସେଠାରେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେଉଥିବା ତାହା ସହଜରେ ଅନୁମେୟ । ତେବେ ଏସଏନ ମେଡିକାଲ କଲେଜ ଆଗ୍ରାରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉ ନାହିଁ । ରୋଗୀଙ୍କୁ ଅବହେଳା କରାଯାଉଛି । ଏହି ଘଟଣାରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ।

You might also like