ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ଯୋଗୁ ଭାରତରେ ପେଟ୍ରୋଲ ଓ ଡିଜେଲ୍‌ ଦରରେ ବୃଦ୍ଧି ଘଟିଛି। ଲଗାତାର ସପ୍ତମ ଦିନ ପାଇଁ ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଛି।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୨୯ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୮୮ ଟଙ୍କା ୯୯ ପଇସା ଓ ଡିଜେଲ୍ ଦର ୭୯ ଟଙ୍କା ୩୫ ପଇସାରେ ପହଞ୍ଚିଛି।

ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୨୫ ପଇସା ବୃଦ୍ଧି ପାଇ ୯୫ ଟଙ୍କା ୪୬ ପଇସା ହୋଇଥିବା ବେଳେ ଡିଜେଲ ୩୦ ପଇସା ବୃଦ୍ଧି ପାଇ ୮୬ ଟଙ୍କା ୩୪ ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଦର ଲିଟର ପ୍ରତି ୨୪ ପଇସା ବୃଦ୍ଧି ପାଇ ୯୦ ଟଙ୍କା ୨୫ ପଇସା ଓ ଡିଜେଲ ୨୯ ପଇସା ବୃଦ୍ଧି ପାଇ ୮୨ ଟଙ୍କା ୯୪ ପଇସାରେ ପହଞ୍ଚିଛି।

ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପ୍ରତି ୯୧ ଟଙ୍କା ୧୯ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ଲିଟର ପ୍ରତି ୮୪ ଟଙ୍କା ୪୪ ପଇସାରେ ପହଞ୍ଚିଛି।

ଗତକାଲି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୩୨ ପଇସା ବୃଦ୍ଧି ପାଇଥିଲା। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ ଟଙ୍କା ୭୩ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ୭୯ ଟଙ୍କା ୬ ପଇସାରେ ପହଞ୍ଚି ଥିଲା।

କିଛିଦିନ ହେବ ଲଗାତାର ଭାବ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷେ, ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶାରେ ଆଜି କଂଗ୍ରେସ ବନ୍ଦ ପାଳନ କରୁଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ପାଳନ କରାଯିବ। ତୈଳ ଦର ବୃଦ୍ଧି ନେଇ ଓଡ଼ିଶା ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ତୈଳ ଦର ନିୟନ୍ତ୍ରଣ ନହେବା ଯୋଗୁ ଭାରତରେ ତୈଳ ଦରରେ ବୃଦ୍ଧି ଘଟିଛି। ଗତ ୩୦୦ ଦିନ ମଧ୍ୟରେ ଏଭଳି ଭାବରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଘଟୁଥିଲେ ମଧ୍ୟ ଗତ ୩୦୦ ଦିନ ମଧ୍ୟରେ ପାଖାପାଖି ୨୫୦ ଦିନ ଦେଶରେ ତୈଳ ଦର ନିୟନ୍ତ୍ରଣରେ ସନ୍ତୁଳିତ ରହିଛି। ରାଜ୍ୟ ସରକାର ଚାହିଁଲେ ଏହି ଭ୍ୟାଟ୍‌ର ଦାମ୍‌କୁ କମ୍‌ କରିପାରନ୍ତେ। ଓଡ଼ିଶାର ଭ୍ୟାଟ୍‌ର ଦାମ୍‌ ଦେଶର ଅନ୍ୟ ରାଜ୍ୟ ସହ ତୁଳନା କଲେ ବହୁତ ଅଧିକ ରହିଛି।

You might also like