ପୁଣି ଥରେ ଚୀନ୍‌ର ଉହାନକୁ ଫେରିଲା କରୋନା, ଚିହ୍ନଟ ହେଲେଣି ନୂଆ ପଜିଟିଭ

ଉହାନ୍: କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନର ଉହାନ ସହରର ସମସ୍ତ ନାଗରିକଙ୍କ ଟେଷ୍ଟ କରିବାକୁ ଯୋଜନା। କିଛି ଦିନର ବିରତି ପରେ ପୁଣି ଥରେ ସହରରେ କରୋନା ପଜିଟିଭ ମାମଲା ସାମନାକୁ ଆସିଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି।

ଉହାନର ୧୧ କୋଟି ଲୋକଙ୍କର ନ୍ୟୁକ୍ଲିକ୍ ଏସିଡ୍ ପରୀକ୍ଷା କରାଯିବ। ୧୦ ଦିନ ଭିତରେ ଏହି କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ଓ ସୋମବାର ଦୁଇ ଦିନରେ ସହରର ଏକ ଆବାସିକ କଲୋନୀରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।

କରୋନାରେ ଉହାନରେ ଏପର୍ଯ୍ୟନ୍ତ ୩ ହଜାର ୮୦୦ରୁ ଅଧିକ ଲୋକେ ପ୍ରାଣ ହରାଇଲେଣି। ଗତ ଡିସେମ୍ବରରେ ଉହାନରେ ହିଁ ବିଶ୍ୱର ପ୍ରଥମ କରୋନା ସଂକ୍ରମଣ ଦେଖାଦେଇଥିଲା। ତେବେ ସ୍ଥିତିରେ ସୁଧାର ଆସିବା ପରେ ଗତ ଏପ୍ରିଲ ୮ରେ ଉହାନରେ ୭୬ ଦିନର ଲକଡାଉନ ଖୋଲିଥିଲା।

ପ୍ରକାଶଥାଉକି, ୨୦୧୯ ମସିହା ଡିସେମ୍ବରରେ ଚୀନର ଉହାନ ସହରରେ ନୋଭେଲ କରୋନା ଭାଇରସ୍ ସୃଷ୍ଟି ହୋଇଥିଲା। ଏହା କ୍ରମଶଃ  ଦେଶକୁ ଦେଶ ଡେଇଁ ମହାମାରୀର ରୂପ ନେଇଥିଲା। ଏବେ ଏହା ସାରା ବିଶ୍ୱକୁ ଗ୍ରାସିବାରେ ଲାଗିଛି।

କରୋନା ଭାଇରସ୍‌ ଯୋଗୁଁ ଚୀନରେ ୮୨ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ଏଯାଏଁ ୪,୬୩୩ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ କିଛି ଦିନ ଧରି ଏଠାରେ ନୂଆ ପଜିଟିଭ ଚିହ୍ନଟ ହୋଇନଥିଲେ। ତେବେ ପୁଣି ମାମଲା ସାମ୍ନାକୁ ଆସିବାରୁ ଏବେ ଟେଷ୍ଟ କରିବାକୁ ଚୀନ ଯୋଜନା କରିଛି।

ସାରା ବିଶ୍ୱରେ କରୋନାରେ ୪୨ ଲକ୍ଷ ୯୮ହଜାର ୧୯୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨ ଲକ୍ଷ ୮୯ହଜାର ୧୮୪ ଜଣଙ୍କ ମୃତ୍ୟୁ ହେଲାଣି। ଏପରିକି କରୋନା ମାଡ଼ରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ସମୁହ ଅସହାୟ ହୋଇପଡ଼ିଛି।

 

You might also like