ଟିକା ନେବା ପରେ ବି ହୋଇପାରେ କରୋନା ସଂକ୍ରମଣ: ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଟିକା ନେବା ପରେ ବି ରହିଛି କରୋନା ସଂକ୍ରମଣ ଆଶଙ୍କା। ଟିକା ରୋଗ ଦୂରେଇବ, କିନ୍ତୁ ସଂକ୍ରମଣ ଦୂରେଇବ ନାହିଁ। ଟିକା ନେବା ପରେ ବି କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିପାରେ। ତେବେ ଏହା ଆପଣଙ୍କୁ ଗୁରୁତର ଅବସ୍ଥାକୁ ନେବ ନାହିଁ। ଏଭଳି କିଛି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ।

କରୋନା ସଂକ୍ରମଣରୁ ବଞ୍ଚିବାକୁ କରୋନା ଟିକା ନେବା ପରେ ବି ଠିକ୍ ଭାବେ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ ମାନିବାକୁ ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ରେମଡେସିଭିର୍ କରୋନାର ରାମବାଣ ବା ଅବ୍ୟର୍ଥ ଔଷଧ ନୁହେଁ। ପାରାସିଟାମଲ ଖାଇ ମଧ୍ୟ ୮୫ ପ୍ରତିଶତ ଲୋକ କରୋନାରୁ ଭଲ ହେଉଛନ୍ତି। ମାତ୍ର ୧୫ ପ୍ରତିଶତ ଲୋକଙ୍କୁ ରେମଡେସିଭିର ଦରକାର ହେଉଛି। ଅକ୍ସିମିଟର ରିଡିଂ ୯୩/୯୪ ପର୍ଯ୍ୟନ୍ତ ରହୁଥିଲେ ଅକ୍ସିଜେନ ଦରକାର ନାହିଁ। ୯୨ ତଳକୁ ଆସିଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ବୋଲି ରଣଦୀପ ଗୁଲେରିଆ କହିଛନ୍ତି।

ଦରକାର ନ ଥିଲେ ଡାକ୍ତରଙ୍କ ବିନା ପରାମର୍ଶରେ ଘରେ ଅକ୍ସିଜେନ ବ୍ୟବହାର କରି ଏହାର ଅପଚୟ ନ କରିବାକୁ ବରିଷ୍ଠ ଡାକ୍ତର ନରେଶ ତ୍ରେହାନ ପରାମର୍ଶ ଦେଇଛନ୍ତି।

ସେପଟେ, ଦେଶରେ ଭୟଙ୍କର ରୂପ ନେଉଛି କରୋନା। ସବୁ ରେକର୍ଡ ଭାଙ୍ଗି ଆଜି ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ କରିଛି। ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫କୁ ବୃଦ୍ଧି ପାଇଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସବୁ ରେକର୍ଡ ଭାଙ୍ଗିଛି। ଦେଶରେ ଦିନକରେ ୨ ହଜାର ୧୦୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷେ, କେଉଁ ମାସ୍କ କେତେ ନିରାପଦ ତାହାକୁ ନେଇ ଏବେ ଅନେକାଂଶରେ ଦ୍ୱନ୍ଦ୍ୱ ଦେଖା ଦେଇଛି। କେହି କେହି କପଡ଼ା ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଥିବା ବେଳେ ଆଉ କେହି କେହି ଏନ ୯୫ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେଉଛନ୍ତି। ତେଣୁ ଲୋକମାନେ ଏବେ କାହାକୁ ପରିଧାନ କରିବେ ସେନେଇ ଚିନ୍ତାରେ ଅଛନ୍ତି।

କରୋନା ଟିକା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩ ହଜାର କୋଟି ଓ ଭାରତ ବାଇଓଟେକ୍‌କୁ ୧୫ଶ ହ କୋଟି ଟଙ୍କା ଆଗୁଆ ଦିଆଯିବ।

You might also like