ସୋସିଆଲ୍‌ ମିଡିଆରେ ଟ୍ରୋଲିଂ ପରେ ମିଳୁନି ରାପର୍‌ଙ୍କ ପତ୍ତା

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଟ୍ରୋଲିଂର ଶିକାର ହେବା ଫଳରେ ଜଣେ ରାପର୍‌ଙ୍କ ଜୀବନ ବିପଦରେ ଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ୨୨ ବର୍ଷୀୟ ରାପର୍‌ ଏମ୍‌ସି କୋଡେ ଓରଫ୍‌ ଆଦିତ୍ୟ ତିୱାରୀ ସୋସିଆଲ୍‌ ମିଡିଆରେ ଏକ ପୁରୁଣା ଭିଡିଓକୁ ନେଇ ଟ୍ରୋଲିଂର ଶିକାର ହୋଇଥିଲେ। ଏହାପରେ ସେ ନିଖୋଜ ଥିବା ଅଭିଯୋଗ ହୋଇଛି। ନିଖୋଜ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରିଥିଲେ। ଏଥିରେ ସେ ଯମୁନା ନଦୀକୁ ଡେଇଁ ଜୀବନ ଶେଷ କରିଦେବା କଥା ଉଲ୍ଲେଖ କରିଥିଲେ ବୋଲି ଜଣାପଡ଼ିଛି।

ଜୁନ୍‌ ୧ରେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ଶେଆର କରି ଆଦିତ୍ୟ ଲେଖିଥିଲେ ‘ବାରମ୍ବାର ଜୀବନରେ ଦୁଃଖ, ପରୀକ୍ଷା ଦେଇ ମୁଁ ପୁରାପୂରି ଭାଙ୍ଗି ପଡ଼ିଲିଣି। ବର୍ତ୍ତମାନ ମୁଁ ଯମୁନା ନଦୀର ବ୍ରିଜ୍‌ ଉପରେ ଛିଡ଼ା ହୋଇଛି ଓ ନଦୀକୁ ଦେଖୁଛି। କୌଣସି ଘଟଣାକୁ ନେଇ ମୁଁ କାହାକୁ ଦାୟୀ କରୁନାହିଁ।’ ଆଦିତ୍ୟଙ୍କ ଏହି ପୋଷ୍ଟ ପରେ ତାଙ୍କର ସାଙ୍ଗସାଥୀମାନେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜିବା ଆରମ୍ଭ କରିଥିଲେ। ହେଲେ ଏବେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ।

ଯେଉଁ ଭିଡିଓ ପାଇଁ ଆଦିତ୍ୟଙ୍କୁ ଟ୍ରୋଲିଂ କରାଯାଇଥିଲା, ତାହା ୬ ବର୍ଷର ପୁରୁଣା ଭିଡିଓ ଥିଲା। ୬ ବର୍ଷ ପୂର୍ବେ ଆଦିତ୍ୟ ମୁମ୍ବାଇରେ ଏହି ଭିଡିଓଟି କରିଥିଲେ ଓ ଏହି ରାପ୍‌ ହିନ୍ଦୁ ଧର୍ମ ଉପରେ ଆଧାରିତ ଥିଲା। ଏଥିରେ ସେ ଧର୍ମକୁ ନେଇ ଆପତ୍ତିଜନକ କଥା କହିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଏହି ଘଟଣାକୁ ନେଇ ତାଙ୍କୁ ଟ୍ରୋଲିଂ ମଧ୍ୟ କରାଯାଇଥିଲା। ତେବେ ଘଟଣାକୁ ୬ ବର୍ଷ ବିତି ଯାଇଥିଲେ ମଧ୍ୟ କିଛିଦିନ ପୂର୍ବେ ତାଙ୍କର ଏହି ପୁରୁଣା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଘଟଣା ପରେ ସେ ସୋସିଆଲ୍‌ ମିଡିଆରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ହେଲେ ତାଙ୍କୁ ଟ୍ରୋଲିଂ କରାଯିବା ସହ ହତ୍ୟା ଧମକ ଦିଆଯାଇଥିଲା ବୋଲି ସୂଚନା ମିଳିଛି।

ଆଦିତ୍ୟଙ୍କ ମା’ଙ୍କ କହିବା ଅନୁଯାୟୀ, ବାରମ୍ବାର ଧମକ ଆସିବାରୁ ଏନେଇ ସେ ଚିନ୍ତିତ ଥିଲେ। ଫଳରେ ସେ ତାଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଦେଇଥିଲେ। ଏସବୁ ଭିତରେ ସେ ଯେଉଁ ୮-୯ ବ୍ରାଣ୍ଡ୍‌ସ୍‌ ସହ ଜଡ଼ିତ ଥିଲେ , ସେମାନେ ମଧ୍ୟ ଆଦିତ୍ୟଙ୍କ ହାତ ଛାଡ଼ି ଦେଇଥିଲେ। ଆଦିତ୍ୟଙ୍କ ନିଖୋଜ ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବାସହ ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳିପାରି ନାହିଁ।

You might also like