ଆମେରିକା ପରେ ବ୍ରାଜିଲରେ ଭୟଙ୍କର ରୂପ ନେଲାଣି କରୋନା

ବ୍ରାଜିଲ: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ଦକ୍ଷିଣ ଆମେରିକାର ସର୍ବବୃହତ ରାଷ୍ଟ୍ର ବ୍ରାଜିଲ ପାଇଁ କାଳ ହେଲା କି ରାଷ୍ଟ୍ରପତି ଜେୟାର ବୋଲସୋନାରୋଙ୍କ ବୃଥା ଅସ୍ଫାଳନ?  ବ୍ରାଜିଲରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଓ ଏହାର ଗରମ ଜଳବାୟୁ ହେତୁ କରୋନା ଇଟାଲୀ ଭଳି ସ୍ଥିତି ସୃଷ୍ଟି କରିପାରିବନି ବୋଲି ଦମ୍ଭୋକ୍ତି ଦେଖାଇଥିଲେ ରାଷ୍ଟ୍ରପତି ବୋଲସୋନାରୋ।

ମାର୍ଚ୍ଚ ୨୪  ଯେତେବେଳେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଲକଡାଉନ ଘୋଷଣା କରୁଥିଲେ। ସେତେବେଳେ କରୋନାକୁ ଭୃକ୍ଷେପ ନକରି କାମକୁ ଫେରି ଆସିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ବୋଲସୋନାରୋ। ଏହି ନିଷ୍ପତ୍ତିକୁ ବ୍ରାଜିଲବାସୀଙ୍କ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ତେବେ ନିଷ୍ପତ୍ତିରେ ଅଟଳ ରହିଥିଲେ ବ୍ରାଜିଲ ସରକାର।

ଆଉ ବୋଧହୁଏ ସେଇ ଭୁଲ ପାଇଁ ଏବେ ବ୍ରାଜିଲବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି। ଅତି ଅଳ୍ପସଂଖ୍ୟାକ ନମୁନା ପରୀକ୍ଷା ହେଉଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି। ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୨୩ ହଜାର ଛୁଇଁବାକୁ ବସିଥିବା ବେଳେ ୩ ଲକ୍ଷ ୬୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଯାହାକି ଆମେରିକା ପରେ ଦ୍ୱିତୀୟ ସର୍ବାଧିକ।

ଏଣେ କରୋନା ଟପ୍ ପାଇଭ୍ ଲିଷ୍ଟର ତୃତୀୟ ସ୍ଥାନରେ ଥିବା ଋଷିଆରେ ସ୍ଥିତି ବେକାବୁ ହେବାକୁ ବସିଛି। ଗତ ୨୪ ଘଣ୍ଟାରେ ଏଠାରେ ୯ ହଜାର ୩ଶହ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୫ ହଜାର ନିକଟବର୍ତ୍ତୀ ହୋଇଛି।

ତେବେ ଆଶ୍ୱସ୍ତିର ବିଷୟ ହେଉଛି ଋଷିଆରେ ସଂକ୍ରମଣ ତୁଳନାରେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ୍ ରହିଛି। ଏଠାରେ ଏଯାଏଁ ୩ ହଜାର ୫ଶହ ଲୋକଙ୍କ ଜୀବନ ନେଇଛି। କରୋନା ସଂକ୍ରମଣ ପୂର୍ବରୁ ନିଆଯାଇଥିବା ପ୍ରତିଷେଧମୂଳକ ପଦକ୍ଷେପ ଯୋଗୁ ମୃତ୍ୟୁ ହାର କମ୍ ଥିବା ଋଷ କର୍ତ୍ତୃପକ୍ଷ କହିଛନ୍ତି..

You might also like