ମଧ୍ୟପ୍ରଦେଶ ପରେ ଛତିଶଗଡ଼ରେ କୃଷି ଋଣ ଛାଡ୍‌ ନେଇ ଘୋଷଣା

ରାୟପୁର: ୩ଟି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଠନ ପରେ କଂଗ୍ରେସ ଏବେ ପ୍ରତିଶ୍ରୁତି ପାଳନରେ ଲାଗି ପଡ଼ିଛି। ପ୍ରଥମେ ମଧ୍ୟପ୍ରଦେଶରେ କୃଷି ଋଣ ଛାଡ୍‌ କରିବା ପରେ ଏବେ ଛତିଶଗଡ଼ରେ କୃଷି ଋଣ ଛାଡ୍‌ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ ସୋମବାର ଘୋଷଣା କରିଛନ୍ତି।

କୃଷି ଋଣ ଛାଡ୍‌ ନେଇ ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରାଯିବ ବୋଲି ସେ କହିଛନ୍ତି।

କୋଅପ୍‌ରେଟିଭ୍‌ ବ୍ୟାଙ୍କ୍‌ ଓ ଛତିଶଗଡ଼ ଗ୍ରାମୀଣ ବ୍ୟାଙ୍କ୍‌ର  ପ୍ରାୟ ୧୬ ଲକ୍ଷ ୬୫ ହଜାର ଚାଷୀଙ୍କ ୬ ହଜାର ୧୦୦ କୋଟି ଟଙ୍କାର ଋଣ ଛାଡ୍ କରାଯିବ। ଏଥିସହ ଚାଷୀମାନେ କର୍ମସିଆଲ୍‌ ବ୍ୟାଙ୍କରୁ ଆଣିଥିବା ଋଣକୁ ସଠିକ୍‌ ଭାବରେ ତଦନ୍ତ କରାଯାଇ ଋଣ ଛାଡ୍‌ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ କହିଛନ୍ତି।

କେବଳ ଏତିକି ନୁହେଁ ଏହା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୨୫ ଶହ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମଧ୍ୟ ବାଘେଲ୍‌ ଘୋଷଣା କରିଛନ୍ତି।

ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ପରେ ନୂଆ କରି ଗଠନ କରାଯାଇଥିବା ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି କ୍ୟାବିନେଟ୍‌ ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ୨୦୧୩ ମସିହାରେ ବସ୍ତର ଜିଲ୍ଲା ଝିରମ୍‌ ଉପତ୍ୟକାରେ ନକ୍ସଲ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯିବ ନେଇ ବୈଠକରେ ନିଷ୍ପତ୍ତି ନିଆ ଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ୨୯ଜଣଙ୍କ ମୃତ୍ୟୁ ଘଟିଥିଲା।

ଗତକାଲି ଭୂପେଶ ବାଘେଲ୍‌ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଛତିଶଗଡ଼ ରେ ୯୦ଟି ଆସନରୁ କଂଗ୍ରେସ ୬୮ଟି ଆସନ ପାଇ ଥିବା ବେଳେ ବିଜେପିକୁ ମାତ୍ର ୧୫ଟି ଆସନ ମିଳିଥିଲା।

You might also like