ଲକଡାଉନ ପରେ ଆଜି ଠାରୁ ଲକ୍ଷ୍ନୌରେ ମେଟ୍ରୋ ସେବା ଆରମ୍ଭ

କୋଭିଡ୍ ନିୟମ ପାଳନ କରି ଯାତ୍ରା କରିବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ : ଆଜି ଠାରୁ ଲକ୍ଷ୍ନୌରେ ମେଟ୍ରୋ ସେବା ଆରମ୍ଭ । ସଂକ୍ରମଣ ହ୍ରାସ ପାଇଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସମୟରେ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଏଥିବାରୁ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରି କଟକଣା କୋହଳ କରିଛନ୍ତି । ଏହି କ୍ରମରେ ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଲକଡାଉନ୍ ହଟିଛି । ଲକଡାଉନ୍ ହଟିବା ସହ ଟ୍ରାକରେ ମେଟ୍ରୋ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି ।

ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ସକ୍ରିୟ ସଂକ୍ରମିଙ୍କ ସଂଖ୍ୟା ୬୦୦ରୁ କମ୍ ହେବାପରେ ରାଜ୍ୟରୁ ଲକଡାଉନ୍ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି । ରାଜଧାନୀ ଲକ୍ଷ୍ନୌରେ ଲକଡାଉନ୍ ହଟିବା ପରେ ଆଜିଠାରୁ ମଧ୍ୟ ମେଟ୍ରୋ ସେବା ଆରମ୍ଭ ହୋଇଛି । ଯେଉଁଥି ପାଇଁ ଲକ୍ଷ୍ନୌ ମେଟ୍ରୋକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ପାଇଁ ସାନିଟାଇଜ୍ କରାଯାଉଛି । ନିୟମ ମାନି ଟ୍ରେନରେ ଯିବାଆସିବା କରିବା ପାଇଁ ଯାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶକୁ ସମ୍ପୂର୍ଣ୍ଣ ଅନଲକ୍ ଘୋଷଣା କରାଯାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ହଟାଇ ଦିଆଯାଇଛି । ମିରଟ, ଗୋରଖପୁର ଏବଂ ଲକ୍ଷ୍ନୌ ରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ ରୁ କମ୍ ହେବା ପରେ ବର୍ତ୍ତମାନ ସମସ୍ତ ଜିଲ୍ଲାରେ କରୋନା କଟକଣା କେହାଳ କରାଯାଇଛି । ସେପଟେ ସମସ୍ତ ଜିଲ୍ଲାରେ ଏବେ ବି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଏବେ କେବଳ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ସମସ୍ତ ଜିଲ୍ଲାରେ କରୋନା କଟକଣା କୋହଳ ହେବାପରେ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ।

ଏପଟେ ଦେଶରେ କରୋନା କଟକଣା କୋହଳ କରାଯାଉଥିବା ବେଳେ ସେପଟେ ଡବ୍ଲ୍ୟୁଏଚଓ ଭାରତକୁ ଚେତାବନୀ ଦେଇଛି  ତୁରନ୍ତ କଟକଣା କୋହଳ କରିବା ନିଷ୍ପତ୍ତି ଉପରେ ବିଚାର କରିବା ଜରୁରୀ । ସଂକ୍ରମଣ କମୁଥିବାରୁ ଶୀଘ୍ର ପ୍ରତିବନ୍ଧକ ହଟାଇବା ବିପଦକୁ ଖୋଲାଖୋଲି ଆମନ୍ତ୍ରଣ କରିବା ସହ ସମାନ । ଭାରତରେ କରୋନା ପ୍ରତିବନ୍ଧ କୋହଳ କରୁଥିବା ବେଳେ ଏପରି ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ସେ କହିଛନ୍ତି, ଡେଲଟା ଭାରିଏଣ୍ଟ ସମେତ ଅନ୍ୟ ଭାରିଏଣ୍ଟର ଦ୍ୱାରା ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିବନ୍ଧ ହଟାଇବା ବିପଜ୍ଜନପ ସାବ୍ୟସ୍ତ ହୋଇପାରେ ।

 

You might also like