ଗୋଆ ପରେ କରୋନା ମୁକ୍ତ ହେଲା ଆଉ ଏକ ରାଜ୍ୟ

ଇମ୍ଫାଲ: ଗୋଆ ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ମଣିପୁର କରୋନା ମୁକ୍ତ ହୋଇଛି। ଏଠାରେ ଚିହ୍ନଟ ହୋଇଥିବା ୨ ଜଣ ଯାକ କରୋନା ଆକ୍ରାନ୍ତ ଚିକତ୍ସା ପରେ ସୁସ୍ଥ ହୋଇଛନ୍ତି। ଏଥିସହ ଏବେ ସୁଦ୍ଧା ରାଜ୍ୟରେ କୌଣସି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଏହି କାରଣରୁ ମଣିପୁର କରୋନା ମୁକ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ କହିଛନ୍ତି।

ସେ ଟ୍ୱିଟ କରି ଏହି ଖୁସି ଖବର ଦେବା ସହ କହିଛନ୍ତି, “ମୁଁ ବେଶ ଖୁସିର ସହ କହିବାକୁ ଚାହେଁ ଯେ ମଣିପୁର ଏବେ କରୋନା ମୁକ୍ତ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ଦୁଇ ଜଣ ସଂପୂର୍ଣ୍ଣ ରୂପେ ଆରୋଗ୍ୟ ଲାଭ କରିଛନ୍ତି ଓ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି।ରାଜ୍ୟରେ କୌଣସି ନୂଆ କରୋନା ମାମଲା ଆସିନାହିଁ। ଏହା ସାଧାରଣ ଲୋକ, ମେଡିକାଲ ଷ୍ଟାଫ ଓ ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଯୋଗୁ ସମ୍ଭବ ହୋଇପାରିଛି।”

ଏହା ପୂର୍ବରୁ ଗୋଆ ପ୍ରଥମ ରାଜ୍ୟ ଭାବେ କରୋନା ମୁକ୍ତ ହୋଇଥିଲା। ଏଠାରେ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ୭ ଜଣ ରୋଗୀଙ୍କ ରିପୋର୍ଟ ଗତକାଲି ନେଗେଟିଭ ଆସିଥିଲା। ରାଜ୍ୟରେ ଆଉ କୌଣସି ନୂଆ ରୋଗୀ ଚିହ୍ନଟ ନ ହେବାରୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟ ଏବେ କରୋନା ମୁକ୍ତ ବୋଲି ଘୋଷଣା କରିଥିଲେ।

You might also like