ଆଜୀବନ କାରାଦଣ୍ଡ ପରେ କଂଗ୍ରେସ୍‌ରୁ ଇସ୍ତଫା ଦେଲେ ସଜ୍ଜନ

ନୂଆ ଦିଲ୍ଲୀ :୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇବା ପରେ କଂଗ୍ରେସର ବରିଷ୍ଠ ନେତା ସଜ୍ଜନ କୁମାର, କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ ସଜ୍ଜନ କୁମାର ଆଜି ସକାଳେ ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି।

ଇସ୍ତଫା ପତ୍ରରେ ସଜ୍ଜନ ଲେଖିଛନ୍ତି, ‘ମାନନୀୟ ଦିଲ୍ଲୀ ହାଇକୋର୍ଟ ମୋ ବିରୁଦ୍ଧରେ ଦେଇଥିବା ରାୟ ଆଧାରରେ ମୁଁ କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି’।

ଉଲ୍ଲେଖଯୋଗ୍ୟ,  ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅପରାଧିକ ଷଡ଼ଯନ୍ତ୍ର ରଚିବା, ଅନ୍ୟମାନଙ୍କ ଦ୍ୱାରା ହିଂସା ଘଟାଇବା ଓ ଦଙ୍ଗା ପାଇଁ ଉସୁକାଇବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ ସଜ୍ଜନ। ଡିସେମ୍ବର ୩୧ ତାରିଖ ସୁଦ୍ଧା ସରେଣ୍ଡର ହେବାକୁ ସଜ୍ଜନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

You might also like