ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ସିବିଅାଇକୁ ନା

କୋଲକାତା: ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ସିବିଆଇକୁ ନା। ଏଣିକି ପଶ୍ଚିମବଙ୍ଗରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍‌ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ପଶ୍ଚିମବଙ୍ଗ ସରକାର ପ୍ରତ୍ୟାହାର କରି ନେଇଛନ୍ତି।

ଏହି ସହମତି ବଳରେ ସିବିଆଇ ଅଧିକାରୀମାନେ ଅବାଧରେ ସମ୍ପୃକ୍ତ ରାଜ୍ୟରେ କୌଣସି ମାମଲାରେ ତଦନ୍ତ କରିପାରିବେ କିମ୍ବା ଚଢ଼ଉ କରିପାରିବେ।

ଆନ୍ଧ୍ରପ୍ରଦେଶରେ ଟିଡିପିର ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ଥିବାବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ରାଜ୍ୟରେ ଶାସନ କରୁଛି। ଏହି ଦୁଇ ଟାଣୁଆ ନେତା ଆଗାମୀ ଲୋକସଭା ନିର୍ବାଚନରେ ଏକ ମହାମେଣ୍ଟ ଗଠନ କରି ବିଜେପି ବିରୋଧରେ ଲଢ଼ିବେ ବୋଲି ଚର୍ଚ୍ଚା ଚାଲିଛି।

ସିବିଆଇ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଆନ୍ଧ୍ର ପ୍ରଦେଶ ସରକାର କହିଛନ୍ତି। ସେପଟେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଏହି ମତକୁ ପଶ୍ଚିମବଙ୍ଗ ସରକାର ସମର୍ଥନ ଜଣାଇଛନ୍ତି।

କେନ୍ଦ୍ର ସରକାର ସିବିଆଇକୁ ନିଜ ରାଜନୈତିକ ଅସ୍ତ୍ର ଭାବେ ପ୍ରୟୋଗ କରୁଥିବା ଟିଡିପି ଅଭିଯୋଗ ଆଣିଛି ।

ଆହୁରି ମଧ୍ୟ ପଢ଼ନ୍ତୁ: ସିବିଆଇକୁ ଆନ୍ଧ୍ରପ୍ରଦେଶ ମନା

You might also like