ଦୁଇ ଦିନ ପରେ କେରଳରେ ପ୍ରବେଶ କରିବ ମୌସୁମୀ, ଓଡ଼ିଶାକୁ ନେଇ ବଡ଼ ସୂଚନା ଦେଲା IMD

ଓଡ଼ିଶା ଆକାଶରେ ମୌସୁମୀ ସଙ୍କେତ

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତାପରେ ପରେ ଆସିବ ଓଡ଼ିଶା। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ ଦେଖିବାକୁ ମିଳିଛି। ଏନେଇ ଏକ ଟ୍ୱିଟ୍‌ କରି ଦର୍ଶାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ତେବେ ଗତ କିଛି ଦିନ ହେଲା ଉପକୂଳ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗୁଳୁଗୁଳି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହୁଥିବା ବେଳେ ପ୍ରଚୁର ଜଳୀୟବାଷ୍ପ ଯୋଗୁ ଏଭଳି ଗୁଳୁଗୁଳି ଅନୁଭୂତ ହେଉଛି।

ଆଇଏମଡ଼ିର୍‌ କହିବା କଥା, ଆସନ୍ତା ୩-୪ ଯାଏଁ ଏଭଳି ଗୁଳୁଗୁଳି ଅନୁଭୁତ ହେବ। ମୌସୁମୀର ଆଗମନ ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିବେ। ଆଜି ଦିନ ୧୨ଟା ବେଳେ ହେବାକୁ ଥିବା ଏହି ସାମ୍ବାଦିକ ସମ୍ମିଳନୀରେ ମୌସୁମୀ ଆଗମନ ନେଇ ବିସ୍ତୁତ ସୂଚନା ଦେଇପାରନ୍ତି।

You might also like