ଓକିଲଙ୍କୁ ହସ୍ପିଟାଲରେ ମିଳିଲାନି ବେଡ୍ : ଛଟପଟ ହୋଇ ଚଳନ୍ତା ବାଇକରେ ଚାଲିଗଲା ଜୀବନ

ରତଲାମ : ଜୀବନଟା ମିଥ୍ୟା ଏଠି ମୃତ୍ୟୁ ଏକା ସତ୍ୟ । କରୋନା ମହାମାରୀର କରାଳ ରୂପ ଭିତରେ ଥଳକୂଳ ପାଉନି ମଣିଷ ସମାଜ । ଦିନକୁ ଦିନ ବଢ଼ିଚାଲିଛି ଅଦୃଶ୍ୟ ଭାଇରସର ତାଣ୍ଡବ । ଟୋକା, ବୁଢ଼ା, ପିଲା କିଛି ଦେଖୁନି ମହାମାରୀ । ସଭିଙ୍କୁ କବଳିତ କରୁଛି । ମୃତ୍ୟୁର ସାଗର ଭିତରେ ରୁନ୍ଧି ହୋଇଯାଉଛି ଜୀବନ । ସଂକ୍ରମଣ ନୁହେଁ ଏଠି ସନ୍ଦେହ ମାରୁଛି । ତିଳ ତିଳ କରି ଜାଳି ଦେଉଛି ମାନବିକତା । ମଧ୍ୟପ୍ରଦେଶର ରତଲାମ ଅଞ୍ଚଳରେ ଏପରି ଏକ ହୃଦୟ ବିଦାକର ଘଟଣା ଦେଖିବାକୁ ମିଳିଛି, ଯାହା ଶୁଣିଲେ ଆଖିରେ ଲୁହ ଆସିଯିବ । ଚିକିତ୍ସା ଅଭାବରୁ ଜଣେ ଓକିଲ ଚଳନ୍ତା ବାଇକରେ ପ୍ରାଣ ହରାଇଛନ୍ତି ।

୪୦ ବର୍ଷୀୟ ଓକିଲ ସୁରେଶ ଡାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବାରୁ ତାଙ୍କ ମା’ ଓ ଭାଇ ସକାଳ ସାତଟାରେ ରତଲାମ ମେଡ଼ିକାଲ କଲେଜ ନେଇଯାଇଥିଲେ । ଅଢ଼େଇ ଘଣ୍ଟାର ଅପେକ୍ଷା ପରେ ମଧ୍ୟ ତାଙ୍କୁ ହସ୍ପିଟାଲରେ ବେଡ ଟିଏ ମିଳିଲାନି । ଏହାପରେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ ଓକିଲଙ୍କୁ । ହେଲେ ଦୁର୍ଭାଗ୍ୟବଶତଃ ସେଠାରେ ମଧ୍ୟ ବେଡ ମିଳିଲାନି । ବାଇକରେ ଛଟପଟ ହେଉଥାଆନ୍ତି, ସିନା କେହି ସାହାଯ୍ୟ କରିବାକୁ ପାଖରେ ନଥାନ୍ତି । ମା’ଭାଇ ସମସ୍ତଙ୍କୁ ଗୁହାରୀ ଜଣାଇ ଜଣାଇ ଥକି ଗଲେ, କିନ୍ତୁ କେହି ଶୁଣିଲେନି । ଶେଷରେ ଆଉ ଏକ ଘରୋଇ ହସ୍ପିଟାଲକୁ ନେବା ବାଟରେ ଚଳନ୍ତା ବାଇକରେ ହିଁ ଜୀବନ ହାରିଦେଲେ ଓକିଲ ।

କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରି କୌଣସି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ନଥିଲା । ଠିକ ସମୟରେ ଚିକିତ୍ସା ସୁବିଧା ଉପଲବ୍ଧ ହୋଇଥିଲେ ଆଜି ହୁଏତ ସେ ସମସ୍ତଙ୍କ ଗହଣରେ ଥାଆନ୍ତେ । କିଛି ପୋଲିସ କର୍ମୀ ସାହାଯ୍ୟର ହାତ ବଢ଼ାଇ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ, ହେଲେ ସେତେବେଳକୁ ସବୁକିଛି ଶେଷ ହୋଇସାରିଥିଲା । ହସ୍ପିଟାଲରେ ଓକିଲଙ୍କୁ ମୃତ ଘୋଷଣା କଲେ ଡାକ୍ତର ।

You might also like