କରୋନା ସ୍ଥିତି ଭୟଙ୍କର: ଶବ ନଆସୁଣୁ ପୋତିବା ଲାଗି ଜେସିବି ଖୋଳୁଛି ଗାତ

କାୟା ମେଲାଉଛି କରୋନା

ଗାନ୍ଧୀନଗର: କରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଦିନକୁ ଦିନ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି। ମେଡିକାଲରେ ରୋଗୀଙ୍କୁ ଚିକିତ୍ସା କରାଇବାକୁ ଜାଗା ବି ମିଳୁନାହିଁ। ଆମ୍ବୁଲାନ୍ସରେ ଆସୁଥିବା ରୋଗୀଙ୍କୁ ସାଙ୍ଗେ ସାଙ୍ଗେ ଚିକିତ୍ସା ମିଳିବା ତ ଦୂର କଥା ମେଡିକାଲ ଭିତରକୁ ପଶିବାକୁ ବି ଅନୁମତି ମିଳିପାରୁନାହିଁ। ଯନ୍ତ୍ରଣାରେ ଜୁଝି ହୋଇ କେତେବେଳେ ନିଜ ସମୟ ଆସିବ ତାକୁ ଅପେକ୍ଷା କରି ବସୁଛନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ।

ଗୁଜରାଟର ସୁରଟରେ କରୋନା ସ୍ଥିତି ଖୁବ୍ ଭୟାବହ ରହିଛି । ଗୋଟିଏ ପଟେ ଶ୍ମଶାନରେ ମୃତକଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ୍ ଲାଗିଛି। ସେଭଳି ଶ୍ମଶାନର ଏଭଳି ଫଟୋ ସାମନାକୁ ଆସୁଛି, ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। କରୋନା ସ୍ଥିତକୁ ଦେଖି ଶ୍ମଶାନରେ ଆଗୁଆ ଗାତ ଖୋଳି ରଖାଯାଉଛି। କବର ଖୋଳିବା ପାଇଁ ଶ୍ରମିକଙ୍କ ଅଭାବ ପଡିବା ପରେ ଜେସିବି ମେସିନ୍ ଲଗାଯାଇଛି।ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟବାସୀ। ସାରା ଦେଶରେ କରୋନାର ଯେଉଁ ସହର ଉପରେ ସବୁଠାରୁ ଅଧିକ ପ୍ରକୋପ ରହିଛି ସେଥିରେ ଗୁଜରାଟର ସୁରଟ୍ ମଧ୍ୟ ରହିଛି। କେବଳ ଏତିକି ନୁହେଁ ବରଂ ସୁରଟ୍‌ରେ ହସ୍ପିଟାଲରେ ଥିବା ବେଡ୍ ଓ ଭେଣ୍ଟିଲେଟରର ପ୍ରବଳ ଅଭାବ ରହିଛି। ଗୋଟିଏ ପଟେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ତେଣୁ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି।

ବର୍ତ୍ତମାନ ସନମୟରେ କରୋନାରେ ଆଖିବୁଜୁଥିବା ମୃତଦେହର ଦାହ ସଂସ୍କାର କରିବା ପାଇଁ ପରିବାର ଲୋକଙ୍କୁ ୧୦ ରୁ ୧୨ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଅନେକ ସ୍ଥାନରେ ଶବଦାହ କରିବାକୁ ୨୪ ଘଂଟା ମଧ୍ୟ ଅପେକ୍ଷା କରିବାକୁ ପଡୁଛି। ତେଣୁ ଥରେ ଚିନ୍ତା କରନ୍ତୁ କରୋନା କେତେ ଭୟଙ୍କର ଭାବରେ ସଂକ୍ରମିତ କରୁଛି। କହାଯାଉଛି, ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ମାରାତ୍ମକ ରହୁଛି। ତେଣୁ ମୃତ୍ୟୁ ସଂଖ୍ୟା ବଢୁଛି। ଯଦି ସ୍ଥିତି ଏମିତି ଲାଗି ରୁହେ ତେବେ ମୃତ୍ୟୁସଂଖ୍ୟା ଦୃତ ଗତିରେ ବଢିବ ବୋଲି  କୁହାଯାଉଛି।

ଏଠାରେ କହିରଖୁଛୁ ଯେ, ଆଜି ୨ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୧୭ ହଜାର ୩୫୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସଂକ୍ରମିତଙ୍କ ସଂଖ୍ୟା ମିଶାଇଲେ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୨,୯୧,୯୧୭ରେ ପହଞ୍ଚିଛି।

You might also like