ଏବେ ଚର୍ଚ୍ଚାରେ ମୁମ୍ବାଇ ମଡେଲ, ଦ୍ୱିତୀୟ ଲହରର ପ୍ରକୋପ କେମିତି କମାଇଲା ମାୟା ନଗରୀ.. ଜାଣନ୍ତୁ..

କେମିତି ରୋକିଲା ମୁମ୍ବାଇ?

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଏପ୍ରିଲ ମାସରେ, ଯେଉଁ ସହରରେ ପ୍ରତିଦିନ ୧୧ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଦେଖିବାକୁ ମିଳିଥିଲା ଏବେ ସେଠି ଅଢ଼େଇ ହଜାର ରହିଥିବା ଦେଖାଯାଇଛି । ମଙ୍ଗଳବାର ମୁମ୍ବାଇରେ ସଂକ୍ରମଣ ସଂଖ୍ୟା ୨୫୫୪କୁ ହ୍ରାସ ପାଇଛି । ପୁରା ଦେଶ ଏବେ ବି କରୋନାର ଦ୍ୱିତୀୟ ଲହରର ସାମ୍ନା କରୁଛି । ଅନେକ ରାଜ୍ୟରେ ଅବସ୍ଥା ଅତ୍ୟନ୍ତ ଖରାପ ରହିଛି । କିନ୍ତୁ ଏଭଳି ସ୍ଥିତିରେ ମୁମ୍ବାଇରେ ପ୍ରଶାସନର ପ୍ରସ୍ତୁତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିଏମସିର ଅତିରିକ୍ତ କମିଶନର ସୁରେଶ କକାନି ବଖାଣିଛନ୍ତି ଯେ, ମୁମ୍ବାଇ କରୋନାର ଏହି ଦ୍ୱିତୀୟ ଲହର କବଳରୁ କିଭଳି ରକ୍ଷା ପାଇବାରେ ସଫଳ ହୋଇଛି ।

ଟେଷ୍ଟିଂ ଆଉ ଟ୍ରାକିଂ ମୂଳ ଅସ୍ତ୍ର

ସେ କହିଛନ୍ତି ମୁମ୍ବାଇର ବିଭିନ୍ନ ସପିଂ ମଲ୍, ପନିପରିବା ବଜାର, ମାଛ ବଜାର ଭଳି ଅଧିକ ଜନଗହଳି ପୂର୍ଣ୍ଣ ସ୍ଥାନରେ ସ୍ୱାବ୍ ସଂଗ୍ରହ ପାଇଁ କିଓସ୍କ ପ୍ରତିଷ୍ଠା କରାଯାଇଥିଲା । ଏହାସହ ବଜାରରେ ସାମଗ୍ରୀ କିଣୁଥିବା ଲୋକଙ୍କର ମଧ୍ୟ ରାପିଡ୍ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଏହାଦ୍ୱାରା ମାତ୍ର ୧୫ରୁ ୩୦ ମିନିଟ ମଧ୍ୟରେ ରିପୋର୍ଟ ସାମ୍ନାକୁ ଆସୁଥିଲା । ଯାହାଫଳରେ ଲୋକଙ୍କୁ ସଙ୍ଗେ ସଙ୍ଗେ ଆଇସୋଲେଟ କରାଯାଇପାରୁଥିଲା । ସେ କହିଛନ୍ତି ଯେ ଦୋକାନୀ ଏବଂ ଖାଦ୍ୟ ବ୍ୟବସାୟୀଙ୍କ କ୍ଷେତ୍ରରେ ସେ ଆରଟିପିସିଆର ଟେଷ୍ଟ କରିଥିଲେ । ଏହା ବ୍ୟତୀତ ଗତ ବର୍ଷ ଅକ୍ଟୋବରରୁ-ଫେବୃଆରୀ ମଧ୍ୟରେ ତିଆରି ହୋଇଥିବା ଅତିରିକ୍ତ କ୍ୱାରେଣ୍ଟାଇନ ସୁବିଧା ଏହି ସମୟରେ ଅନେକ ଫାଇଦା ଯୁକ୍ତ ପ୍ରମାଣିତ ହେଲା ।

ଅମ୍ଳଜାନ ଏବଂ ବେଡ୍ ପୂର୍ବରୁ ପ୍ରସ୍ତୁତ ଥିଲା

ସେ କହିଛନ୍ତି, ଏହି ସମୟରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥାକୁ ତ୍ୱରିତ କରାଯାଇଥିଲା। ୨୮ ହଜାର ବେଡ୍ ମଧ୍ୟରୁ ପ୍ରାୟ ୧୨-୧୩ ହଜାର ବେଡ୍ ପାଇଁ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ଏହାସହ ଆବଶ୍ୟକ ଅନୁଯାୟୀ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଇଥିଲା । ଏହାଦ୍ୱାରା ରୋଗୀମାନେ ତୁରନ୍ତ ଚିକିତ୍ସା ପାଇ ପାରିଥିଲେ । ଏହା ବ୍ୟତୀତ ଅମ୍ଳଜାନ ସିଲିଣ୍ଡରରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।

ସେ ଆହୁରି କହିଛନ୍ତି ଯେ, ପ୍ରଥମେ ସାଧାରଣ ସିଲିଣ୍ଡର ଉପରେ ନିର୍ଭର କରୁଥିଲେ, କିନ୍ତୁ ପରେ ଜମ୍ବୋ ସିଲିଣ୍ଡର ବ୍ୟବହାର କଲେ । ଏହି ଜମ୍ବୋ ସିଲିଣ୍ଡରର କ୍ଷମତା ସାଧାରଣ ସିଲିଣ୍ଡର ଅପେକ୍ଷା ୧୦ ଗୁଣ ଅଧିକ । ଏହା ସହିତ ୧୩ ହଜାର କିଲୋ ଲିଟରର ତରଳ ମେଡିକାଲ ଅମ୍ଳଜାନ ଟ୍ୟାଙ୍କର ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଅନ୍ୟପଟେ ଡାକ୍ତରଖାନାଗୁଡ଼ିକ ମଧ୍ୟ, ରିଫିଲିଂ ମୋଡ୍ରୁ ଷ୍ଟୋରେଜ୍ ମୋଡକୁ ଆସିଯାଇଥିଲା ।

ପୁରୁଣା ରୁଟିନ୍ ଅନୁପାଳନ କରାଯାଇଥିଲା

ସେ କହିଥିଲେ ଯେ ପ୍ରଥମ ଲହର ସମୟରେ ଅନୁସରଣ କରାଯାଉଥିବା ରୁଟିନ୍ ସିଷ୍ଟମ୍, ଆମେ ଏଥର ମଧ୍ୟ ଜାରି ରଖିଥିଲୁ । ଘରକୁ ଘର ବୁଲି ସର୍ଭେ କରାଯାଉଥିଲା, ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା, ସଧାରଣ ଥଣ୍ଡା କାଶ ଠାରୁ ଆରମ୍ଭ କରି କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିଲା । କରୋନା ସହ ଲଢ଼େଇ କରିବା କ୍ଷେତ୍ରରେ ଏହି ସବୁ ପ୍ରଣାଳି ପ୍ରଶାସନକୁ ଅନେକ ସଫଳତା ଦେଇଛି। ଏହି ସମୟରେ ୱାର ରୁମ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା, ଯାହା ଏକ ନିର୍ଦ୍ଦିଷ୍ଟ ଭୌଗଳିକ କ୍ଷେତ୍ର ମଧ୍ୟରେ ସୀମିତ ଥିଲା । ଏହି ୱାର ରୁମ୍ ଲୋକଙ୍କ ସହ ଯୋଗାଯୋଗରେ ରହିଥିଲେ । ସେମାନେ ଲୋକଙ୍କୁ ଆଇସୋଲେଟ କରୁଥିଲେ, ଟେଷ୍ଟିଂ କରୁଥିଲେ ଏବଂ ରୋଗୀଙ୍କୁ ସମସ୍ତ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେଉଥିଲେ ।

ସେ ଆଉ ଏକ ଗରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଯେ, ଲ୍ୟାବ୍ ଗୁଡ଼ିକୁ ସିଧାସଳଖ ନିର୍ଦ୍ଦେଶ ଦିଆଯାଇଥିଲା କି ଯଦି କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ତାଙ୍କ ରିପୋର୍ଟ ତୁରନ୍ତ ପ୍ରଶାସନକୁ ଦିଆଯାଉ, ପରେ ରୋଗୀଙ୍କୁ ଦିଆଯାଉ । ଏହାଦ୍ୱାରା ରୋଗୀଙ୍କ ପାଖରେ ଠିକ୍ ସମୟରେ ଓ୍ୱାର ରୁମ୍ ପହଞ୍ଚୁଥିଲା ଏବଂ ସମସ୍ତ ସହଯୋଗ ଯୋଗାଇ ଦେଉଥିଲା ।

ଔଷଧ ଅଭାବ ନେଇ କଣ କହିଲେ ?

ଅଧିକାରୀ ଜଣକ କହିଛନ୍ତି ଯେ, ରେମେଡିସିଭିର ଭଳି ଔଷଧ ଅଭାବ ରହିବ ବୋଲି ପ୍ରଶାସନ ପୂର୍ବରୁ ଅନୁମାନ କରିସାରିଥିଲା । ତେଣୁ ସେ ଆଗୁଆ ୨ ଲକ୍ଷ ଭାଇଲ ପାଇଁ ଟେଣ୍ଡର ଜାରି କରିଥିଲେ । ଯାହାଦ୍ୱାରା କୌଣସି ସରକାରୀ ଡାକ୍ତରଖାନାରେ ରେମିଡିସିଭିରର ଅଭାବ ରହିନଥିଲା । ଏହାସହ ସବୁ ପ୍ରମୁଖ ଡାକ୍ତରଖାନାରେ ୮୦ ପ୍ରତିଶତ ବେଡ୍ କୋଭିଡ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା ।

You might also like