ଠିକ୍‌ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଏବଂ ଏଥିପାଇଁ ରୋଗୀଙ୍କ ମୃତ୍ୟୁ ଘଟିବା ଖବର ଅଧିକାଂଶ ସମୟରେ ଶୁଣିବାକୁ ମିଳେ। ହେଲେ ସହରରେ ରହୁଥିବା ଜଣେ ଅଭିନେତ୍ରୀଙ୍କ ସହ ବି ଏମିତି ହୋଇପାରେ ! ହଁ, ଏମିତି ହୋଇଛି ମହାରାଷ୍ଟ୍ରର ଜଣେ ଅଭିନେତ୍ରୀଙ୍କ ସହ।  ଠିକ୍‌ ସମୟରେ ଆମ୍ବୁଲାନ୍ସ ନ ମିଳିବାରୁ ଅଭିନେତ୍ରୀଙ୍କର ମୃତ୍ୟୁ ଘଟିଛି।  କଥାଟା ବିଶ୍ୱାସ ହେଉ ନ ଥିଲେ ବି ସତ। ରବିବାର ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।

ପୁଲିସ୍‌ ସୂଚନା ମୁତାବକ, ମରାଠୀ ଅଭିନେତ୍ରୀ ପୂଜା ଜୁନ୍‌ଜର୍‌(୨୫)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଗୋରେଗାଓଁର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଶିଶୁଟି ଜନ୍ମ ହେବାର ମାତ୍ର କିଛି ସମୟ ପରେ ଆଖି ବୁଜି ଦେଇଥିଲା।

ଏହାପରେ ପୂଜାଙ୍କୁ ହିଙ୍ଗୋଲି ସିଭିଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ତାଙ୍କ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହି ହସ୍ପିଟାଲ୍‌ ଗୋରେଗାଓଁରୁ ୪୦ କି.ମି. ଦୂରରେ ଅବସ୍ଥିତ। ହେଲେ ଆମ୍ବୁଲାନ୍ସ ପାଇଁ ଅଭିନେତ୍ରୀଙ୍କ ପରିବାର ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା ବୋଲି ପୁଲିସ୍‌ କହିଛି।

ଶେଷରେ ବହୁ ବିଳମ୍ବରେ ଅଭିନେତ୍ରୀଙ୍କ ପରିବାର ଲୋକଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ମିଳିଥିଲା। ହେଲେ ପୂଜାଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ୍‌ କହିଛି।

ପୂଜା ଜୁନ୍ଜର୍‌ଙ୍କ ୨ଟି ମରାଠୀ ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା। ଗର୍ଭବତୀ ଥିବାରୁ ସେ ଅଭିନୟରୁ ବ୍ରେକ୍‌ ନେଇଥିଲେ।

ଆହୁରି ପଢ଼ନ୍ତୁ

You might also like