ନକଲି ସ୍ୱାସ୍ଥ୍ୟକର୍ମୀର ପରିଚୟ ପତ୍ର ଦେଖାଇ କରୋନା ଟିକା ନେଲେ ଅଭିନେତ୍ରୀ !

ମୁମ୍ବାଇ: ମୁମ୍ବାଇର ଜଣେ ଅଭିନେତ୍ରୀ ନକଲି ସ୍ୱାସ୍ଥ୍ୟକର୍ମୀର ପରିଚୟ ପତ୍ର ଦେଖାଇ କରୋନା ଟିକା ନେଇଥିବା ଅଭିଯୋଗ ହୋଇଛି। ୧୮ରୁ ୪୪ ବର୍ଷ ବୟସ ବର୍ଗରେ ଆସୁଥିବା ଅଭିନେତ୍ରୀ ମୀରା ଚୋପ୍ରା ନକଲି ଆଇଡି କାର୍ଡ କରି କରୋନା ଟିକା ନେଇଥିବା ଅଭିଯୋଗ ଆସିଛି। ମହାରାଷ୍ଟ୍ରରେ ଏବେ ଏହି ବର୍ଗର ଲୋକଙ୍କ ପାଇଁ ଟିକାକରଣ ବନ୍ଦ ରହିଛି, ହେଲେ ଅଭିନେତ୍ରୀ ମୀରା ନକଲି ଆଇଡି କାର୍ଡ କରି ଏଥିରେ ନିଜକୁ ସୁପରଭାଇଜର ବୋଲି ଦର୍ଶାଇବା ସହ ଫ୍ରଣ୍ଟ ଲାଇନ୍‌ କ୍ୟାଟେଗୋରୀ ଅଧିନରେ ଭ୍ୟାକ୍‌ସିନ୍‌ ନେଇଛନ୍ତି। 

ଠାଣେ ସ୍ଥିତ ପାର୍କିଂ ପ୍ଲାଜା କୋଭିଡ୍‌ ସେଣ୍ଟରରେ ସେ ଭ୍ୟାକ୍‌ସିନ୍‌ ନେଇଛନ୍ତି। ଟିକା ନେବା ବେଳର ଏକ ଫଟୋ ସେ ସୋସିଆଲ୍‌ ମିଡିଆରେ ଶେଆର କରିଥିଲେ। ହେଲେ ପରେ ଏହାକୁ ସେ ଡିଲିଟ୍‌ କରି ଦେଇଥିଲେ।

Image credit: NDTV

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମୀରା ଖଣ୍ଡନ କରିଛନ୍ତି। ସେ  କହିଛନ୍ତି, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଆଇଡି ମୋର ନୁହେଁ। ରେଜିଷ୍ଟ୍ରେସନ ପାଇଁ ମୋତେ ଆଧାର କାର୍ଡ ଦେବା ପାଇଁ କୁହାଯାଇଥିଲା ଓ କେବଳ ସେହି ଆଇଡି ହିଁ ମୁଁ ଦେଇଥିଲି। ଦସ୍ତଖତ ନଥିଲେ କୌଣସି ଆଇଡି ଭାଲିଡ୍‌ ନୁହେଁ। ଏହି ଘଟଣାକୁ ମୁଁ ସମ୍ପୂର୍ଣ୍ଣ ଭାବରେ ନିନ୍ଦା କରୁଛି।’

ଅନ୍ୟପକ୍ଷରେ ମୀରାଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ହେଉଛନ୍ତି ମୀରା ଚୋପ୍ରା। ସେ ଅନେକ ହିନ୍ଦୀ, ତେଲୁଗୁ ଓ ତାମିଲ ଫିଲ୍ମରେ ଅଭିନୟ କରିଛନ୍ତି।

You might also like