କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବେ ସାଉଥ୍ଫିଲ୍ମର ଲେଡି ଅମିତାଭ ବଚ୍ଚନ ବିଜୟଶାନ୍ତି
ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବେ ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ବିଜୟଶାନ୍ତି। ଏନେଇ ଆଜି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ସୋମବାର ବିଜୟଶାନ୍ତି ଦିଲ୍ଲୀ ଯାଇ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ବିଜେପିରେ ଯୋଗ ଦେଇସାରିବା ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମିଶ୍ରଣ ପର୍ବ ପାଇଁ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାର ମଧ୍ୟ ହାଇଦ୍ରାବାଦରୁ ଦିଲ୍ଲୀ ଗସ୍ତ କରିସାରିଛନ୍ତି।
ଦକ୍ଷିଣଭାରତୀୟ ସିନେମାରେ ଲେଡି ଅମିତାଭ ବଚ୍ଚନ ଭାବେ ପରିଚିତ ବିଜୟଶାନ୍ତି ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ। ରାଜନୀତିରେ ସକ୍ରିୟ ହୋଇ ୧୯୯୭ରେ ସେ ବିଜେପିରେ ଯୋଗ ଦେଇଥିଲେ। ପରେ ଦଳରୁ ଅଲଗା ହୋଇଯାଇଥିଲେ। ଏହାପରେ ଆନ୍ଧ୍ରପ୍ରଦେଶ ଠାରୁ ତେଲେଙ୍ଗାନା ଅଲଗା ହେବା ଆନ୍ଦୋଳନରେ ବିଜୟଶାନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍ଏସ୍ ମୁଖ୍ୟ କେସିଆର୍ଙ୍କ ବିଶ୍ୱସ୍ଥ ହୋଇପାରିଥିଲେ। ସେ ଟିଆର୍ଏସ୍ ଟିକେଟ୍ରୁ ୨୦୦୯ରେ ମେଡକ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ।
ଏହାପରେ ବିଜୟାଶାନ୍ତି ଟିଆର୍ଏସ୍ରୁ ଅଲଗା ହୋଇ ୨୦୧୪ରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଏବେ ସେ ପୁଣି ବିଜେପିକୁ ଫେରିବାକୁ ଯାଉଛନ୍ତି। ଏହାପୂର୍ବରୁ ଆଉ ଜଣେ ଅଭିନେତ୍ରୀ ଖୁସ୍ବୁ ସନ୍ଦର ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ।