ପୁଣି ଚର୍ଚ୍ଚାରେ ସୋନୁ, ବାପା ଛେଉଣ୍ଡ ୪ ପିଲାଙ୍କର ନେଲେ ଦାୟିତ୍ୱ

ଡେରାଡୁନ: ଅନ୍ୟକୁ ସାହାଯ୍ୟ କରିବା ଲାଗି ପଣ କରିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନେଇ ଚର୍ଚ୍ଚା ଥମିବାରେ ନା ନେଉ ନାହିଁ। ଜଣକ ପରେ ଜଣଙ୍କୁ ବିନା କୌଣସି ସର୍ତ୍ତରେ ସାହାଯ୍ୟ କରି ସୋନୁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହାରି ମଧ୍ୟରେ ଉତ୍ତରାଖଣ୍ଡର ହିମସ୍ଖଳନ ଘଟଣା ସାରା ଦେଶକୁ ମର୍ମାହତ କରିଛି। ଆଉ ଚଳିତମାସ ୭ ତାରିଖରେ ହୋଇଥିବା ବନ୍ୟାରେ ନିଜ ଜୀବନ ହରାଇଥିବା ଜଣେ ବ୍ୟକ୍ତିଙ୍କର ୪ ଝିଅଙ୍କ ଦାୟିତ୍ୱ ନେଇ ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌।

ମିଳିଥିବା ସୂଚନା ଅନୁସାରେ,  ଉତ୍ତରାଖଣ୍ଡର ତେହରି ଜିଲ୍ଲାର ଲୟାଲ ଗ୍ରାମର ଆଲମ୍‌ ସିଂହ ପୁନ୍ଦିର(୪୫) ତପୋବନ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ଜଣେ ବିଦ୍ୟୁତ୍‌କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ‌ଗ୍ଲାସିୟର ଫାଟିବା ‌ଯୋଗୁଁ ହୋଇଥିବା ବନ୍ୟାରେ ତାଙ୍କ ଜୀବନ ଚାଲିଯିବା ପରେ ନିଃସହାୟ ହୋଇ ପଡ଼ିଥିଲେ ବିଧବା ପତ୍ନୀ ଓ ତାଙ୍କର ୪ ଝିଅ। ଆଉ ସେମାନଙ୍କୁ ଏବେ ସହାୟତାର ହାତ ବଢ଼ାଇ ୪ ଝିଅଙ୍କ ଖାଇବା, ପିଇବାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ବହନ କରିବାର ଦାୟିତ୍ୱ ନେଇଛନ୍ତି ସୋନୁ।

ମୃତ ଆଲମ୍‌ ସିଂହଙ୍କ ୪ ଝିଅ ହେଉଛନ୍ତି ଆଞ୍ଚଲ୍‌(୧୪), ଅନ୍ତରା(୧୧), କାଜଲ(୮) ଏବଂ ଅନନ୍ୟା(୨)। ସୋନୁଙ୍କ ଏହି ମହତ୍‌କାର୍ଯ୍ୟ ପାଇଁ ମୃତ ଆଲାମ୍‌ଙ୍କ ପରିବାର ଲୋକ ତାଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଇଛନ୍ତି। ଆଲମ୍‌ ସିଂହ ପତ୍ନୀ ସରୋଜିନୀ ଦେବୀ କହିଛନ୍ତି ଯେ, ‘ବନ୍ୟା ଆମଠାରୁ ସବୁ କିଛି ଛଡ଼ାଇ ନେଲା। ମୋ ପିଲାମାନଙ୍କୁ ବାପ ଛେଉଣ୍ଡ କରିଦେଲା। ସୋନୁ ଭାଇ ଆସି ଆମକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଆମେ ତାଙ୍କ ନିକଟରେ ଚିର ଋଣୀ ରହିବୁ।’ ସୋନୁ ଟ୍ୱିଟ୍‌ କରି ଲେଖିଛନ୍ତି କି ‘ସେ ପରିବାର ଏବେ ଠାରୁ ମୋ ନିଜର।’

ମୋଟ୍‌ ଉପରେ କହିବାକୁ ଗଲେ, ଅନ୍ୟକୁ ସାହାଯ୍ୟ କରିବାର ମନୋବୃତ୍ତି ପାଇଁ ସୋନୁଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଛି। ଆଉ ଗୋଟିଏ ପରେ ଗୋଟିଏ ଏମିକି କିଛି ନିଆରା କାମ ଦେଶର ମନ ଜିତିବାରେ ସଫଳ ହୋଇପାରିଛନ୍ତି ସୋନୁ।

You might also like