ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୨୪ ପ୍ରବାସୀ ଶ୍ରମିକଙ୍କ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଔରେୟାରେ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲକ୍ଷ୍ନୌ-ଆଗ୍ରା ଏନ୍ଏଚ୍‌ରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୪ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ୩୦ରେ ଏହି ଦୁର୍ଘଟଣା ଘଟିଛି। ଆହତ ଶ୍ରମିକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏକ ଟ୍ରକ୍‌ରେ ଏହି ପ୍ରବାସୀ ଶ୍ରମିକମାନେ ରାଜସ୍ଥାନରୁ ସେମାନଙ୍କର ଘରକୁ ଫେରୁଥିବାବେଳେ ଅନ୍ୟ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତାହତଙ୍କ ମଧ୍ୟରେ ଅଧିକାଂଶ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ଦୁର୍ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

You might also like