କରୋନାରୁ ଆରୋଗ୍ୟ ଲାଭ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ

ଘରକୁ ଯିବାକୁ ଆମ୍ବୁଲାନ୍ସ ଦେଲେନି ହସ୍ପିଟାଲ କର୍ତ୍ତୃପକ୍ଷ, ରାତିରେ ଚାଲି ଚାଲି ଘରକୁ ଫେରିବା ସମୟରେ ଚା ବଗିଚାକୁ ଉଠାଇନେଲେ ଦୁଇ ଯୁବକ

ଦିସପୁର : କରୋନାକୁ ମାତ ଦେଲେ, ହେଲେ ନରପିଶାଚଙ୍କ ସାମ୍ନାରେ ହାରିଗଲେ । ଭାଇରସକୁ ହରାଇ ଘରକୁ ଫେରିଲା ବେଳେ ମହିଳାଙ୍କ ସହ ଗଣଦୁଷ୍କର୍ମ । ଆସାମର ଚରାଇଦେବ ଜିଲ୍ଲାରେ ଏପରି ଅମାନବୀୟ ଘଟଣା ଘଟିଛି । ସଂକ୍ରମଣ ଭୟ ଭିତରେ ଲୋକେ ମାନବିକତା ଭୁଲି ପିଶାଚ ପାଲଟି ଯାଉଛନ୍ତି । ଆସାମର ଜଣେ ମହିଳା କରୋନରୁ ଆରୋଗ୍ୟ ଲାଭ କରିବା ପରେ ଘରକୁ ଫେରିବା ପାଇଁ ବାହାରିଥିଲେ । ତେବେ ମହିଳାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଦେବାକୁ ମନା କରି ଦେଇଥିଲେ । ଫଳରେ ପାଦରେ ଚାଲି ଚାଲ ଆସୁଥିବା ସମୟରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି ।

ରାତିର ଘନ ଅନ୍ଧାରରେ ଶୂନଶାନ ସଡ଼କରେ ଏକୁଟିଆ ଘର ଅଭିମୁଖେ ବାହାରିଥିଲେ ମହିଳା । ହସ୍ପିଟାଲରୁ ମହିଳାଙ୍କ ଘର ୨୫ କିମି ଦୂର ଥିବାବେଳେ ଏକୁଟିଆ ପାଇଁ ଦୁଇ ଜଣ ଲୋକ ତାଙ୍କୁ ଉଠାଇନେଇଥିଲେ ଓ ଦୁଷ୍କର୍ମ କରିଥିଲେ । ଚିତ୍କାର କରିଥିଲେ ସୁଦ୍ଧା କାହା କାନରେ ମହିଳାଙ୍କ କାନ୍ଦଣା ଶୁଭିନଥିଲା । କରୋନା ପାଇଁ କଟକଣା କଡ଼ାକଡ଼ି କରାଯାଇଥିବାରୁ ରାସ୍ତାରେ କେହି ଲୋକ ଯିବାଆସିବା କରୁନଥିଲେ । ପୋଲିସ ସୂଚନା ଅନୁସାରେ ଚାୟ ଜନଜାତି ସଂପ୍ରଦାୟର ମହିଳା ଜଣକୁ ଆମ୍ବୁଲାନ୍ସ ନମିଳବାରୁ ପାଦରେ ଚାଲି ଚାଲି ଘରକୁ ଫେରୁଥିଲେ । ରାସ୍ତାରେ ମହିଳାଙ୍କୁ ଏକା ଦେଖି ଚା ବଗିଚାକୁ ଟାଣି ନେଇଥିଲେ ଦୁଇ ଅଭିଯୁକ୍ତ । ମେ ୨୭ ତାରିଖରେ ଏପରି ଲଜ୍ଜ୍ୟାଜନକ ଘଟଣା ଘଟିଥିିଲା ଏବଂ ଏହାର ଦୁଇ ଦିନ ପରେ ପୋଲିସରେ ଅଭିଯୋଗ କରିଛନ୍ତି ମହିଳା ।

କିଛି ଦିନ ପୂର୍ବରୁ ମହିଳାଙ୍କ ପୂରା ପରିବାର କାରୋନରେ ସଂକ୍ରମିତ ହୋଇଥିଲା । ସମସ୍ତେ ହୋମ ଆଇସୋଲେନରେ ଥିଲେ । କିଛି ଦିନ ପରେ ମହିଳା ଓ ତାଙ୍କର ସ୍ୱାମୀଙ୍କର ସ୍ଥିତି ବିଗିଡ଼ିବାରେ ଲାଗିଲା । ଫଳରେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ପଡ଼ଲା । ତେବେ ହସ୍ପିଟାଲରେ ଚିକିତ୍ସିତ ପରେ ମହିଳାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ପାଖାପାଖି ରାତି ୨.୩୦ରେ ଡିସଚାର୍ଜ କରି ଦେଇଥିଲେ ।

ହେଲେ ଆମ୍ବୁଲାନ୍ସ ଦେବା ପାଇଁ ସଫା ସଫା ମନା କରି ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ରାତିରେ ରହିବା ପାଇଁ କହିବାକରୁ ହସ୍ପିଟାଲ କର୍ତ୍ତୃପକ୍ଷ ସେଥିପାଇଁ ମଧ୍ୟ ରାଜି ହୋଇନଥିଲେ । ଫଳରେ ରାତିରେ ଏକୁଟିଆ ଘରକୁ ଫେରିବା ସମୟରେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ତେବେ ଏହି ଘଟଣାର ଦୁଇ ଦିନ ପରେ ମହିଳା ଜଣକ ପୋଲିସରେ ଅଭିଯୋଗ କରିଛନ୍ତି । ଚରାଇଦେବର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ । ଅଭିଯୋଗ ଅଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ମେଡ଼ିକାଲ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କୁ ଧରିବା ସହଜ ହେବ ବୋଲି ସେ କହିଛନ୍ତି ।

You might also like