ସେ ଜଣେ ପ୍ରଧାନମନ୍ତ୍ରୀ, କିନ୍ତୁ ପ୍ରତି ଶନିବାର ଡାକ୍ତର


ଥିମ୍ଫୁ:  ଦେଶକୁ ସୁରୁଖୁରରେ ଚଳାଇବାକୁ ପ୍ରଣୟନ ହେଉଥିବା ବିଭିନ୍ନ ନିୟମ  ଉପରେ ସପ୍ତାହର ୫ ଦିନ ରଖିଥାନ୍ତି ତୀକ୍ଷ୍‌ଣ ନଜର। ହେଲେ ଶନିବାର ତାଙ୍କୁ ଦେଖିବାକୁ ମିଳେ ଏକ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅବସ୍ଥାରେ। ଆଉ ରବିବାର ସବୁଥିରୁ ଛୁଟି। ପୁରା ଫ୍ୟାମିଲି ଟାଇମ୍‌।  ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ।

ବୌଦ୍ଧା ଧମ୍ୱାବଲମ୍ବୀ ଦେଶ ଭୁଟାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ସେରିଙ୍ଗ ସପ୍ତାହକୁ ଗୋଟିଏ ଦିନ ଶନିବାର ରୋଗୀଙ୍କ ସେବାରେ କଟାଇଥାନ୍ତି।  ଗୋଟେ ଲ୍ୟାବ୍‌ କୋଟ ପିନ୍ଧି, ବେକରେ ଷ୍ଟେଥୋ ପକାଇ ମେଡିକାଲରେ ସେ  ରୋଗୀଙ୍କ ସେବାରେ ଲାଗିପଡ଼ିଥିବା ବେଳେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼େ।

ବୌଦ୍ଧ ଧର୍ମାବଲମ୍ବୀ ବହୁଳ ଏହି ରାଷ୍ଟ୍ର ବିଭିନ୍ନ କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଦେଶ ଅର୍ଥନୈତିକ ଅଭିବୃଦ୍ଧି ଅପେକ୍ଷା ନାଗରିକଙ୍କ ଖୁସି ଉପରେ ଗୁରୁତ୍ୱ ଦେଇଥାଏ। ବହୁ ଉନ୍ନତ ରାଷ୍ଟ୍ର ପରିବେଶ ପ୍ରଦୂଷଣ  ପରି ସମସ୍ୟାରୁ ମୁକୁଳିବାକୁ ସଂଘର୍ଷ କରୁଥିବା ବେଳେ ଭୁଟାନ କିନ୍ତୁ କାର୍ବନ ନେଗେଟିଭ ରାଷ୍ଟ୍ର। ଏହି ଦେଶରେ ୬୦ ପ୍ରତିଶତ ଜମିରେ ଗଛ ଲଗାଇବା ବାଧ୍ୟତାମୂଳକ।  ଏଠାକାର ସରକାର  ଇକୋ ଟୁରିଜିମ୍‌ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବାହାରୁ ଯାଉଥିବା ପର୍ଯ୍ୟଟକଙ୍କଠାରୁ ପ୍ରତିଦିନ ୨୫୦ ଡଲାର ଲେଖାଏ ଆଦାୟ ହୋଇଥାଏ।  ଏହା ଦେଶର ପ୍ରମୁଖ ରୋଜଗାର ମାଧ୍ୟମ।

ଦେଶର ରାଜଧାନୀ ଥିମ୍ଫୁରେ କୌଣସି ଟ୍ରାଫିକ ବ୍ୟବସ୍ଥା ନାହିଁ। ଏହି ଦେଶରେ ଟବାକୋ ବିକ୍ରି ଉପରେ ଜାରି ହୋଇଛି ନିଷେଧାଜ୍ଞ। ୧୯୯୯  ପରଠୁ ଏହି ଦେଶରେ ଟେଲିଭିଜନ ବ୍ୟବସ୍ଥା ଆରମ୍ଭ ହେଲା। ତେବେ ଦେଶରେ ଦାରିଦ୍ର୍ୟ, ବେରୋଜଗାର, କ୍ରାଇମ୍‌ ଆଦି ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।

You might also like