ଆଇପିଏସ୍‌ ଝିଅକୁ ସାଲ୍ୟୁଟ୍‌ କଲେ ଡିସିପି ବାପା

ହାଇଦ୍ରାବାଦ: କୁହାଯାଏ କର୍ମ ହିଁ ଭଗବାନ। କର୍ତ୍ତବ୍ୟ ଆଗରେ ସମ୍ପର୍କ ବି ସଜ୍ଞା  ହୀନ ହୋଇପଡ଼େ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାର ଏକ ସାଧାରଣ ସଭାସ୍ଥଳରେ। ଗୋଟିଏ ବିଭାଗରେ ବାପା କନିଷ୍ଠ ଅଫିସର ଥିବାବେଳେ ସେହି ବିଭାଗରେ ତାଙ୍କ ଝିଅ ଉଚ୍ଚ ଅଫିସରେ ଭାବେ ଡ୍ୟୁଟି କରୁଥିଲେ। ଘଟଣା ଅନୁଯାୟୀ ସଂଯୋଗବଶତଃ ତେଲେଙ୍ଗାନାର ଏକ ସାଧାରଣ ସଭାରେ ଉଭୟଙ୍କ ଭେଟ ହୋଇଯାଇଥିଲା। ଏଠାରେ ବାପା ଜଣଙ୍କ ନିଜ କର୍ତ୍ତବ୍ୟକୁ ଭୁଲିନଯାଇ  ପ୍ରୋଟୋକଲ ଦୃଷ୍ଟିରୁ ଝିଅକୁ ସାଲ୍ୟୁଟ୍ କରିଥିଲେ। ଯେଉଁ ଘଟଣା ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। 

 ବାପା ଏଆର ଉମା ମହେଶ୍ୱର ଶର୍ମା ବର୍ତ୍ତମାନ ଡେପୁଟି ପୁଲିସ କମିଶନର(ଡିସିପି) ଭାବେ କର୍ଯ୍ୟ କରୁଛନ୍ତି। ତେବେ ତାଙ୍କ ଝିଅ ସିନ୍ଧୁ ଶର୍ମା ହେଉଛନ୍ତି ଜଣେ ଆଇପିଏସ୍‌ ଅଫିସର। ସିନ୍ଧୁ ତେଲେଙ୍ଗାନାର ଜଗିତିୟାଲ ଜିଲ୍ଲାରେ ଏସପି ଭାବେ ଅବସ୍ଥାପିତ ଅଛନ୍ତି। ରବିବାର ହାଇଦ୍ରାବାଦରେ କୋନ୍‌ଗାରା କାଲାମ ଇଲାକାରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା।  ତେବେ ସେଠାରେ ବାପା ଝିଅକୁ ସାଲ୍ୟୁଟ୍‌ ମାରିବା ବେଶ ଆଲୋଚନାର ବିଷୟ ପାଲଟିଥିଲା।

ଝିଅକୁ ସମ୍ମାନ ଜଣାଇ ମୁଁ ଗର୍ବିତ ଓ ଆମ ବାପ ଝିଅଙ୍କ ମଧ୍ୟରେ କୌଣସି ପବ୍ଲିକ କାର୍ଯ୍ୟକ୍ରମରେ ଭେଟ ହେବା ଏହା ପ୍ରଥମ ବୋଲି ଉମା ମହେଶ୍ୱର କହିଛନ୍ତି। ଦୀର୍ଘ ବର୍ଷ ଧରି ପୁଲିସ ବିଭାଗରେ କାମ କରିଥିବା ଉମା ମହେଶ୍ୱର ଆସନ୍ତା ବର୍ଷ ଅବସର ନେବେ। ଉମା ମହେଶ୍ୱର ଏବେ ହାଇଦ୍ରାବାଦର ରଚାକୋଣ୍ଡା ପୁଲିସ କମିଶନର ଅଧୀନ ମାଲକାଜ୍‌ଗିରି ଏରିଆରେ ଡିସିପି ଅଛନ୍ତି। ତେବେ ତାଙ୍କ ଝିଅ ସିନ୍ଧୁ ଶର୍ମା ୨୦୧୪ ବ୍ୟାଚ୍‌ରେ ଆଇପିଏସ ପାଇ ପୁଲିସ୍‌ ବିଭାଗରେ ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। 

ଉମା ମହେଶ୍ୱର ପ୍ରଥମେ ସବ୍‌ଇନ୍ସପେକ୍ଟରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ନିକଟରେ ସେ ପଦୋନ୍ନତି ପାଇ ଆଇପିଏସ୍‌ ରାଙ୍କରେ ଅବସ୍ଥାପିତ ହୋଇଛନ୍ତି। ଉମା ମହେଶ୍ୱର କହିଛନ୍ତି ଯେ, ମୋ ଝିଅ ହେଉଛନ୍ତି ମୋ ଠାରୁ ସିନିୟର। ତେଣୁ ମୁଁ ତାଙ୍କୁ ସମ୍ମାନ କରିବା ମୋର କର୍ତ୍ତବ୍ୟ। କାର୍ଯ୍ୟସ୍ଥଳରେ ମୁଁ ଝିଅକୁ ସମ୍ମାନ କରେ, କିନ୍ତୁ ଘରେ ଆମର ବାପ-ଝିଅର ସମ୍ପର୍କ ବେଶ୍‌ ହସ ଖୁସିରେ ଚାଲିଥାଏ। ତେବେ ବାପ-ଝିଅ ମଧ୍ୟରେ ସମ୍ପର୍କର ଏହି ନୂଆ ପରିଭାଷା ସମାଜ ପାଇଁ ଉଦାହହଣ ସୃଷ୍ଟି କରିବ ଏଥିରେ ଦ୍ୱିମତ ନାହିଁ।

You might also like