ମାଓବାଦୀଙ୍କ କବ୍‌ଜାରେ ନିଖୋଜ ଯବାନ !

ମାଲକାନଗିରି: ବିଜାପୁର ନକ୍ସଲ ଆକ୍ରମଣ ପରେ ନିଖୋଜ ସିଆରପିଏଫ୍ କୋବ୍ରା ଯବାନଙ୍କୁ ଉଦ୍ଧାର ପାଇଁ ପତ୍ନୀଙ୍କ ଆକୁଳ ନିବେଦନ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସଙ୍କ ପତ୍ନୀ ମିନୁ ମାନହାସ୍। ଶନିବାର ବିଜାପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଯବାନ ସହିଦ୍ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

ତେବେ ରାକେଶ୍ୱର ସିଂ ମାନହାସଙ୍କ କୌଣସି ପତ୍ତା ମିଳୁନାହିଁ। ତେବେ ଯବାନ ଜଣକ ମାଓବାଦୀଙ୍କ କବ୍‌ଜାରେ ଥିବା ପରିବାର ଲୋକ କହୁଛନ୍ତି। ରାକେଶ୍ୱରଙ୍କ ଘର ଜମ୍ମୁ କାଶ୍ମୀରର ଖୋଡ ତହସିଲରେ। ସେ ନିଖୋଜ ଥିବା ଖବର ଆସିବା ପରେ ପରିବାରରେ ଦୁଃଖର ମାହୋଲ ସୃଷ୍ଟି ହୋଇଛି।

ସେପଟେ ମାଓବାଦୀଙ୍କ କବ୍‌ଜାରେ ଥାଇପାରନ୍ତି ଛତିଶଗଡ଼ ବିଜାପୁରରେ ନିଖୋଜ ଯବାନ। ନିଖୋଜ ଯବାନଙ୍କ ଅପହରଣ ନେଇ ସନ୍ଦେହ ପ୍ରକାଶ କରିଛି CRPF। ମାଓବାଦୀ ଯବାନଙ୍କୁ ଅପହରଣ କରିଥିବା ଖବରକୁ ଏଡ଼ାଇ ହେବନି ବୋଲି CRPF କହିଛି। ଶନିବାର ଏନ୍‌କାଉଣ୍ଟରରେ ୨୨ ସହିଦ୍ ହୋଇଥିଲେ, ଜଣେ ନିଖୋଜ ଅଛନ୍ତି।

ଛତିଶଗଡ଼ ବିଜାପୁରରେ ନକ୍ସଲ ଆକ୍ରମଣ ପରେ ଜଗଦଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସକାଳେ ଶାହ ଜଗଦଲପୁରରେ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ନକ୍ସଲବାଦ ବିରୋଧରେ ଅଭିୟାନ ଆହୁରି ତେଜ ହେବ ଓ ଦେଶ ଏହା ବିରୋଧରେ ବିଜୟୀ ହେବ ବୋଲି ଶାହ କହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଆଭ୍ୟନ୍ତରୀଣ ଅଞ୍ଚଳରେ ସେନା କ୍ୟାଂପ କରିବାରେ ସଫଳତା ମିଳିଛି। ଯାହା ଫଳରେ ନକ୍ସଲମାନେ ନିଜର ସ୍ଥିତି ହରାଇବାରେ ହତାଶ ହୋଇ ଏଭଳି ଘଟଣା ଘଟାଉଛନ୍ତି ବୋଲି ଶାହ କହିଛନ୍ତି।

You might also like