ଭିଡିଓ କଲିଂରେ କଥା ହେଉଥିଲେ, ୩୦ଫୁଟ୍‌ ଉଚ୍ଚରୁ ଖସିପଡ଼ିଲେ ଯୁବତୀ

ଚଣ୍ଡୀଗଡ଼: ସେଲ୍‌ଫି ହେଉ କିମ୍ବା ଭିଡିଓ କଲିଂ କରି ନିଜର ପରିଜନଙ୍କ ସହ କଥା ହେବା ନିଶାରେ ବେଳେବେଳେ ଆମେ ଏମିତି କିଛି ଭୁଲ୍‌ କରିଥାଉ, ଯାହା ଆମ ପାଇଁ ବିପଦ ହୋଇଥାଏ। ଏଭଳି ଏକ ଅଘଟଣ ଘଟିଛି ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାରେ।

କାଳ ହେଲା ଭିଡିଓ କଲିଂରେ କଥା ହେବା। ଭିଡିଓ କଲିଂ ବେଳେ ଜଣେ ଯୁବତୀ ବ୍ରିଜ୍‌ରୁ ଖସି ପଡ଼ିବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗୁରୁବାର ଦିନ କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦରେ ଜଣେ ଯୁବତୀ ଭିଡିଓ କଲିଂ କରୁଥିବା ବଳେ ବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲେ। ପାଖାପାଖି ୩୦ ଫୁଟ୍ ଉଚ୍ଚରୁ‌ ଖସି ପଡ଼ିବା ଫଳରେ ଘଟଣାସ୍ଥଳରେ ହିଁ ସମ୍ପୃକ୍ତ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।

ଯୁବତୀଙ୍କ ମୋବାଇଲ୍‌ ଓ ବ୍ୟାଗ୍‌ରୁ ମିଳିଥିବା ଆଧାରକାର୍ଡକୁ ଆଧାର କରି ତାଙ୍କ ପରିଚୟ ସମ୍ପର୍କରେ ଜଣାପଡ଼ିଥିଲା। ମୃତ ଯୁବତୀଙ୍କ ନାଁ ଅଞ୍ଜଳୀ ରାଣୀ ବୋଲି ଜଣାପଡ଼ିଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୋବାଇଲ୍‌ରୁ ମିଳିଥିବା ଫୋନ୍‌ ନମ୍ବର ଆଧାରରେ ପୋଲିସ୍‌ ଅଞ୍ଜଳୀଙ୍କ ପରିବାର ଲୋକଙ୍କୁ ଏସମ୍ପର୍କରେ ସୂଚନା ଦେଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୁରୁବାର ଦିନ ଯୁବତୀ ଜଣକ ପିପଲି-ଶାହାବାଦ ଜିଟି ରୋଡ୍‌ ବ୍ରିଜ୍‌ ଉପରେ ଛିଡ଼ା ହୋଇଥିଲେ ଓ ହାତରେ ମୋବାଇଲ୍‌ ଧରି ଭିଡିଓ କଲିଂ କରୁଥିଲେ। ଏହି ସମୟରେ ଯୁବତୀ ଜଣକ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲେ। ଯୁବତୀଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏମିତି ଏକ ଘଟଣା ଗତବର୍ଷ ଓଡ଼ିଶାରେ ଘଟିଥିଲା। ସେଲ୍‌ଫି ନେବା ସହ ଭିଡିଓ କଲିଂ ବେଳେ ଝରଣାରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲ। ଦେବଗଡ ଜିଲ୍ଲା ସଦର ମହକୁମା ସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ୧ ନମ୍ବର ଜଳକୁଣ୍ଡରେ ଏହି ଅଭାବନୀୟ ଘଟଣା ଘଟିଥିଲା।

ସୂଚନା ଅନୁସାରେ, ଦେବଗଡ଼ର ବ୍ୟବସାୟୀ ସ୍ୱର୍ଗତଃ କ୍ରିଷ୍ନା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡରେ ପାହାଡ ଉପରେ ଥିବା ଜଳକୁଣ୍ଡକୁ ଯାଇଥିଲେ। ଜଳକୁଣ୍ଡ ନିକଟରେ ଠିଆ ହୋଇ ସେଲ୍‌ଫି ନେବା ସହ ତାଙ୍କର ଜଣେ ବନ୍ଧୁଙ୍କ ସହ ଭିଡିଓ କଲିଂ କରି ଜଳପ୍ରପାତର ଦୃଶ୍ୟ ଦେଖାଉଥିଲେ। ଏହି ସମୟରେ ତାଙ୍କର ଗୋଡ଼ ଖସି ଯିବାରୁ ସେ ଜଳକୁଣ୍ଡରେ ପଡ଼ିଯିବା ସହ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ।

ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ଆସିବାରୁ ବ୍ୟତିବ୍ୟସ୍ତ ହୋଇ ପରିବାର ଲୋକେ ଶୁଭମ୍‌ଙ୍କୁ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ନ ପାଇବାରୁ ଖବର ପାଇ ଜଳପ୍ରପାତ ନିକଟକୁ ଯାଇଥିଲେ। ଏହି ସମୟରେ ମୃତଦେହ ଜଳକୁଣ୍ଡରେ ଭାସୁଥିବା ଦେଖିବାକୁ ପାଇଥିଲେ।

You might also like