କର୍ମଚାରୀଙ୍କୁ କୋଟିପତି କରିଦେଲେ ମାଲିକ

କରୋନା ସମୟରେ କିଛି କମ୍ପାନୀ କର୍ମଚାରୀଙ୍କୁ ବାହାର କରି ଦେଉଛନ୍ତି। ଆଉ କିଛି କମ୍ପାନୀ କର୍ମଚାରୀଙ୍କୁ ଦରମା ଦେଉ ନାହାଁନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ଖବର ଦେଉଛୁ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମାଲିକ ନିଜ କମ୍ପାନୀର ସମସ୍ତ କର୍ମଚାରୀଙ୍କୁ କୋଟିପତି କରି ଦେଇଛନ୍ତି। ଏ କଥାକୁ ଶୁଣି ଆପଣ ମିଛ ବୋଲି ଭାବୁଥିବେ। ହେଲେ ଏକଥା ଏକ ଦମ ସତ। ଆମେ କହୁଛୁ ବ୍ରିଟେନର ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ ଯିଏ ନିଜ କମ୍ପାନୀର ଲାଭ ଅଂଶଧନକୁ ତାଙ୍କ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ବେଶ ଚର୍ଚ୍ଚାକୁ ଆସିଛନ୍ତି। ଆଉ ବର୍ତ୍ତମାନ ତାଙ୍କ କମ୍ପାନୀର ଅଧିକାଂଶ କର୍ମଚାରୀ କୋଟିପତି ହୋଇଛନ୍ତି।

ବ୍ରିଟେନର ଏହି କମ୍ପାନୀର ନାମ ହେଉଛି ଦି ହଟ୍‌ ଗ୍ରୁପ। ଆଉ ଏହାର ମାଲିକ ହେଉଛନ୍ତି ମାଥ୍ୟୁ ମୋଲଡିଂ। ମାଥ୍ୟୁ ତାଙ୍କ କମ୍ପାନୀର ଲାଭରୁ ପ୍ରାୟ ୮ ହଜାର ୧ ଶହ ୮୩ କୋଟି ମୂଲ୍ୟର ଶେଆର କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ଆଉ ଏହି ଶେଆର ପାଇଁ କର୍ମଚାରୀମାନେ ଆଜି ଜଣେ ଜଣେ କୋଟିପତି ହୋଇ ପାରିଛନ୍ତି। କର୍ମଚାରୀଙ୍କ ପାଇଁ ମାଥ୍ୟୁଙ୍କ ଏଭଳି ସ୍କିମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଯୋଜନାଟି ଏମିତି ଯେଉଁଥିରେ କମ୍ପାନୀର ଛୋଟରୁ ବଡ଼ ସମସ୍ତ କର୍ମଚାରୀ ଉପକୃତ ହୋଇ ପାରିଛନ୍ତି। ମାଥ୍ୟୁ ନିଜ କମ୍ପାନୀ ଦି ହଟ୍‌ ଗ୍ରୁପର ଶେଆରକୁ ଷ୍ଟକ୍‌ ମାର୍କେଟରେ ଲଗାଇ ଥିଲେ। ଯେତେବେଳେ ଶେଆର ଗୁଡିକ ଭଲ ଟ୍ରେଡିଂ କରିଥିଲା, ସେତେବେଳେ ମାଥ୍ୟୁ ଏହି ଟଙ୍କାକୁ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ଏହି ଯୋଜନା ଦ୍ୱାରା କମ୍ପାନୀର ଡ୍ରାଇଭରମାନଙ୍କଠାରୁ ମାଥ୍ୟୁଙ୍କ ବ୍ୟକ୍ତିଗତ ସହାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ପର୍ଯ୍ୟାପ୍ତ ଅର୍ଥ ମିଳି ପାରିଛି। ଏହି ଯୋଜନାର ଲାଭ ପାଇବା ପରେ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ କହିଥିଲେ ଏମିତି ଲାଭ ପାଇବୁ ବୋଲି ଆମେ କେବେ ହେଲେ ଭାବି ନ ଥିଲୁ।

ବହୁ ଦିନ ପୂର୍ବରୁ ଏମିତି ଯୋଜନା କରିବାକୁ ମୁଁ ଚାହୁଁଥିଲି। ଯେଉଁଥିରେ ମୁଁ ଓ କମ୍ପାନୀ ଲାଭବାନ ହେବା ସହିତ ମୋର ସମସ୍ତ କର୍ମଚାରୀ ଉପକୃତ ହୋଇ ପାରିବେ। ଆଜି ସେହି ସ୍ୱପ୍ନ ସାକାର ହୋଇଛି ବୋଲି ମାଥ୍ୟୁ କହିଛନ୍ତି। ଯେତେବେଳେ ମୁଁ ପ୍ରଥମେ ଏହି ସ୍କିମ୍‌ କରିବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲି। ବିଭିନ୍ନ ବର୍ଗର ଲୋକେ ଏହାକୁ ବିରୋଧ କରିଥିଲେ। ଆଉ କହିଥିଲେ ଏହା ମାଥ୍ୟୁଙ୍କ ପାଗଳାମୀ। କିନ୍ତୁ ମୋର ବିଶ୍ୱାସ ଥିଲା ମୁଁ ଏଥିରୁ ଲାଭ ପାଇବାକୁ ହେଲେ ଷ୍ଟକ୍‌ ଉପରକୁ ଯିବ ଦରକାର। ଏବେ ଷ୍ଟକ ବଜାରରେ ମୋ କଂପାନୀକୁ ସଫଳତା ମିଳିଛି। ଆଉ ସେଥିରୁ ଯାହା ଲାଭାଂଶ ମିଳିଛି, ତାହା କର୍ମଚାରୀଙ୍କୁ ବଣ୍ଟା ଯାଇଛି।

ଏମିତିକି ମାଥ୍ୟୁଙ୍କ ବ୍ୟକ୍ତିଗତ ସହାୟକ କହିଛନ୍ତି, ତାଙ୍କୁ ଏତେ ଟଙ୍କା ମିଳିଛି ଯେ ସେ ଏବେ ଅବସର ନେଇ ବିଳାସପୂର୍ଣ୍ଣ ଜୀବନ ବିତାଇ ପାରିବେ। ମାଥ୍ୟୁଙ୍କ ଏହି ମହାନତାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ବ୍ରିଟେନବାସୀ।

You might also like