କରୋନା ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ୨୬ ଲକ୍ଷ!

ବୋଷ୍ଟନ: ଜଣେ କରୋନା ଭାଇରସ ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ୨୬ ଲକ୍ଷ ୪୧ ହଜାର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟା ସତ। ଆମେରିକା ବୋଷ୍ଟନ ଅଞ୍ଚଳର ଜଣେ  କରୋନା ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ପରେ ଏତିକି ଟଙ୍କାର ବିଲ୍ ଆସିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ଆମେରିକାରେ କରୋନା ଚିକିତ୍ସା ମାଗଣାରେ କରାଯିବ ବୋଲି ଘୋଷଣା କରାଯାଇଥିବାବେଳେ ଏତେ ଟଙ୍କାର ବିଲ୍‌ ଦେଖି ଏବେ ମହିଳାଙ୍କ ଆଖିରୁ ନିଦ ହଜିଯାଇଛି।

ଡାନି ଇସ୍କିନି ନାମକ ଏଇ ମହିଳା ଜଣକ ଫେବ୍ରୁଆରୀରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଡାକ୍ତରଖାନା ଯାଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ନିଃଶ୍ୱାସ ପ୍ରଶ୍ୱାସ କଷ୍ଟ ହୋଇଥିଲା। ମାଇଗ୍ରେନ୍ ସମସ୍ୟା ବି ଦେଖା ଦେଇଥିଲା।  ଔଷଧ ପରିବର୍ତ୍ତନ କରିବା ଯୋଗୁ ଏପରି ହେଉଛି। ଏହା ପରେ ତାଙ୍କୁ ଏମର୍ଜେନ୍ସି ୱାର୍ଡକୁ ପଠାଇ ଦିଆଯାଇଥିଲା।

ପ୍ରାଥମିକ ଚିକିତ୍ସା ପରେ ଇସ୍କିନି ନିମୋନିଆ ଆକ୍ରାନ୍ତ ଥିଲେ ବୋଲି ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଚିକିତ୍ସା ପରେ ଡାକ୍ତର ତାଙ୍କୁ ଘରକୁ ପଠାଇଦେଇଥିଲେ। ହେଲେ କିଛି ଦିନ ପରେ ସେ ପୁଣି ଗୁରୁତର ହୋଇପଡ଼ିଲେ। ଦୁଇଥର ଡାକ୍ତରଖାନା ଯିବା ପରେ ଇସ୍କିନିଙ୍କ କରୋନା ଟେଷ୍ଟ ପାଇଁ ନମୁନା ନିଆଯାଇଥିଲା। ପରେ ତାଙ୍କୁ  ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା।

ପରୀକ୍ଷଣର ତିନି ଦିନ ପରେ ଇସ୍କିନି କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା। କିଛି ଦିନ ପରେ ଡାକ୍ତରଖାନା ପକ୍ଷରୁ ତାଙ୍କ ପାଖକୁ ଏକ ବିଲ ଆସିଥିଲା। ଏଥିରେ ଚିକିତ୍ସା ଖର୍ଚ୍ଚ ଓ ପରୀକ୍ଷା ବାବଦ ୨୬  ଲକ୍ଷ ୪୧ ହଜାର ଟଙ୍କାର ବିଲ୍‌ ଆସିଥିଲା।  ଇସ୍କିନି କହିଛନ୍ତି ‘ମୁଁ ବିଲ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ବ୍ୟକ୍ତିଗତ ଭାବରେ ମୁଁ ଜାଣେ ନାହିଁ ଯାହାର ଏତେ ଟଙ୍କା ଅଛି।’

ସୂଚନାଥାଉ କି,  କରୋନା ଭାଇରସ ଯାଞ୍ଚ ମାଗଣା କରାଯିବ ବୋଲି ଆମେରିକାରେ ମାର୍ଚ୍ଚ ୧୮ରେ ଏକ ନିୟମ ଲାଗୁ କରାଯାଇଛି । ତେବେ ଏହି ଆଇନରେ ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ବିଷୟରେ କିଛି କୁହାଯାଇ ନାହିଁ।

 

You might also like