ଗୋଟିଏ ଟ୍ୟୁସନ୍‌ ସେଣ୍ଟରରୁ ୯୧ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ଥିରୁଅନନ୍ତପୁରମ୍‌: କିଛିଦିନ ତଳେ କେରଳର ମାଲାପ୍ପୁରମ୍‌ର ୨ଟି ସ୍କୁଲ୍‌ରୁ ୧୯୨ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୧ ଜଣ ଛାତ୍ରଛାତ୍ରୀ ଗୋଟିଏ ଟ୍ୟୁସନ୍‌ ସେଣ୍ଟରରେ କ୍ଳାସ୍‌ କରିଥିଲେ ବୋଲି ଜଣାପଡ଼ିଛି।

ଶିକ୍ଷା ଅଧିକାରୀ ରମେଶ କୁମାର ଜାତୀୟ ଗଣମାଧ୍ୟମ NDTVକୁ ସୂଚନା ଦେଇ କହିଛନ୍ତି, କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ୧୯୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୧ ଜଣ ଗୋଟିଏ ଟ୍ୟୁସନ୍‌ ସେଣ୍ଟରରେ କ୍ଲାସ୍‌ କରିଥିଲେ। ବର୍ତ୍ତମାନ ସେହି ଟ୍ୟୁସନ୍‌ ସେଣ୍ଟରକୁ ପୋଲିସ୍‌ ସିଲ୍‌ କରିଛି। ଟ୍ୟୁସନ୍‌ରେ‌ କ୍ଲାସ୍‌ କରିଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବା ପାଇଁ କୁହାଯିବା ସହ କରୋନା ଟେଷ୍ଟ୍‌ କରାଇବାକୁ କୁହାଯାଇଛି। ଯେଉଁ ୨ଟି ସ୍କୁଲ୍‌ରୁ ୧୯୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ, ଏହା ନିକଟରେ ଥିବା ଅନ୍ୟ ଏକ ସ୍କୁଲ୍‌କୁ ସତର୍କତାମୂଳକ ସ୍ୱରୂପ ବନ୍ଦ କରି ଦିଆଯାଇଛି।

ଯେଉଁ ଛାତ୍ରଛାତ୍ରୀମାନେ ଟ୍ୟୁସନ୍‌ ସେଣ୍ଟରରେ କ୍ଲାସ୍‌ କରିଥିଲେ ସେମାନଙ୍କର କରୋନା ଟେଷ୍ଟ ଆଜି କରାଯିବ ବୋଲି ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ କେ ସକିନା କହିଛନ୍ତି। ସେ କହିଛନ୍ତି, ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେଜଣ ଟ୍ୟୁସନ୍‌ରେ କ୍ଲାସ୍‌ କରିଥିଲେ ତାହା ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ହେଲେ କିଛି ଛାତ୍ରଛାତ୍ରୀ ଯେଉଁମାନେ ଟ୍ୟୁସନ୍‌ରେ କ୍ଲାସ୍‌ କରିଥିଲେ ସେମାନେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ୍‌ କାରାଯିବ।

ଟ୍ୟୁସନ୍‌ ସେଣ୍ଟର ଯେଉଁ ଅଞ୍ଚଳରେ ରହିଛି ସେହି ଅଞ୍ଚଳ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ୍‌ କରାଯାଉଛି। ଏହାସହ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ସେମାନଙ୍କ ଯୋଗାଯୋଗରେ ଆସିଥିବା ଅନ୍ୟମାନଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।

ଜଣେ ଛାତ୍ର ଓ ଶିକ୍ଷକଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବା ପରେ କେରଳର ମାଲାପ୍ପୁରମ୍‌ର ୨ଟି ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା। ୬୦୦ ଜଣଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୯୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଅଧିକାଂଶ ଲକ୍ଷଣବିହୀନ ଥିଲେ।

ପଜିଟିଭ୍‌ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୯ ଜଣ ଗୋଟିଏ ସ୍କୁଲ୍‌ର ହୋଇଥିବା ବେଳେ ୪୩ ଜଣ ଅନ୍ୟ ଏକ ସ୍କୁଲ୍‌ର। ସେହିପରି ଗୋଟିଏ ସ୍କୁଲ୍‌ରୁ ଷ୍ଟାଫ୍‌, ଶିକ୍ଷକଙ୍କ ସମେତ ୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ଅନ୍ୟ ଏକ ସ୍କୁଲ୍‌ରୁ ଚିହ୍ନଟ ହୋଇଥିଲେ।

You might also like