ଜଣେ ଡାକ୍ତର କୋଭିଡ୍-୧୯ ସଂକ୍ରମିତ ଜଣାପଡ଼ିବା ପରେ ୯୦୦ ଲୋକ କ୍ୱାରେଣ୍ଟାଇନ୍‌ରେ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ମଉଜ୍‌ପୁରରେ ‘ମୋହଲ୍ଲା କ୍ଲିନିକ’ ନାମକ କମ୍ୟୁନିଟି ହେଲ୍‌ଥ ସେଣ୍ଟର ଜଣେ ଡାକ୍ତର କରୋନା ଆକ୍ରାନ୍ତ  ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୯୦୦ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସମସ୍ତଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କରି ରଖାଯାଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ୍‌ କହିଛନ୍ତି। ଏଥିସହିତ ଦିଲ୍ଲୀରେ ବର୍ତ୍ତମାନ ୩୬ ଜଣ କରୋନା ଆକ୍ରାନ୍ତ ଥିବା ସେ ସୂଚନା ଦେଇଛନ୍ତି।

ବୁଧବାର ଡାକ୍ତରଙ୍କ ପତ୍ନୀ ଓ ତାଙ୍କ ନାବାଳିକା ଝିଅ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ସାଉଦିଆରବରୁ ଆସିଥିବା ଜଣେ ମହିଳାଙ୍କ  ସଂସ୍ପର୍ଶରେ ଆସିବାରୁ ଏମାନେ ସଂକ୍ରମିତ ହୋଇଛନ୍ତି ବୋଲି ସତେନ୍ଦ୍ର ଜୈନ କହିଛନ୍ତି।

ଏହି ସଂକ୍ରମିତ ମହିଳା ଡାକ୍ତରଙ୍କ କ୍ଲିନିକକୁ ମାର୍ଚ୍ଚ ୧୨ ତାରିଖରେ ଆସିଥିଲେ। ଫଳରେ ସିଧାସଳଖ ତାଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ ମଧ୍ୟ କୋଭିଡ୍‌-୧୯ ସଂକ୍ରମିତ ହୋଇଛନ୍ତି। ତେବେ ସଂକ୍ରମିତ ମହିଳାଙ୍କର ୭୫ ଜଣ ପଡ଼ୋଶୀଙ୍କୁ ମଧ୍ୟ ନଜରବନ୍ଦୀରେ  ରଖାଯାଇଛି।

ଦିଲ୍ଲୀର ଆମ୍‌  ଆଦ୍ମୀ ପାର୍ଟି ଦ୍ୱାରା ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ମୋହଲ୍ଲା କ୍ଲିନିକ୍‌ ନାମରେ ହେଲ୍ଥ ସେଣ୍ଟର ସୁବିଧା ହୋଇଛି। ଏହି କ୍ଲିନିକ୍‌ରେ ଡାକ୍ତର ରୋଗି ଦେଖୁଥିବା ବେଳେ ସଂକ୍ରମିତ ମହିଳା ଚିକିତ୍ସା ପାଇଁ କ୍ଲିନିକ୍‌କୁ ଆସିଥିଲେ।

ତେଣୁ ମାର୍ଚ୍ଚ ୧୨ରୁ ୧୮ ତାରିଖରେ ଭିତରେ ଯେଉଁମାନେ ଦିଲ୍ଲୀର ମୋହଲ୍ଲା କ୍ଲିନିକ୍‌କୁ ଆସିଥିଲେ ସେମାନେ ସମସ୍ତେ ୧୫ ଦିନ ପାଇଁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ବୁଧବାର ୯୦ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ତେଣୁ ସ୍ୱାସ୍ତ୍ୟା ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲିର ତଥ୍ୟ ଅନୁସାରେ ୬୦୨ରେ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି।

You might also like