ଏହି କଲେଜ୍‌ରୁ ୯୦ ଜଣ ଛାତ୍ରଛାତ୍ରୀ ହେଲେ କରୋନା ଆକ୍ରାନ୍ତ

କରୋନାର ଟାର୍ଟେଟ୍‌ରେ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: ପୁଣି ଥରେ ଶିକ୍ଷାନୁଷ୍ଠାନରେ ବ୍ୟାପିବାରେ ଲାଗିଲାଣି କରୋନା। କ୍ରମାଗତ ଭାବରେ କରୋନା ସଂକ୍ରମଣ ବଢୁଥିବାରୁ ଏବେ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ। ଉତ୍ତରାଖଣ୍ଡ ସ୍ଥିତ ଆଇଆଇଟି ରୁରକୀରେ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୭ ସୁଦ୍ଧା ଏହି କଲେଜରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ବିଗତ ଦୁଇ ଦିନ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି କଲେଜ କର୍ତ୍ତୃପକ୍ଷ। ତେବେ କରୋନା ସଂକ୍ରମଣକୁ ନେଇ ଆଇଆଇଟି ରୁରକୀର ମିଡିଆ ସେଲ୍ ଇନ୍ ଚାର୍ଜ ସୋନିକା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।

ଏହାସହ କରୋନାରେ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ପରେ ରୁରକୀରେ ଥିବା ପାଞ୍ଚୋଟି ହଷ୍ଟେଲକୁ ସିଲ୍ କରାଯାଇଛି। କୋରଲେ, କସ୍ତୁରବା, ସରୋଜିନି, ଗୋବିନ୍ଦ ଭବନ ଏବଂ ବିଜ୍ଞାନ କୁଞ୍ଜ ଆଦି ହଷ୍ଟେଲ ଗୁଡ଼ିକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଏଥିସହ ଏହି ପାଞ୍ଚୋଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା ମଧ୍ୟ କରାଯାଇଛି। ବର୍ତ୍ତମାନ ସମୟରେ ୫ଟି ହଷ୍ଟେଲରେ ୧୨୦୦ ଜଣ ଛାତ୍ରଛାତ୍ରୀ ରହୁଛନ୍ତି।

ଖାଲି ଆଇଆଇଟି ରୁରକୀ ନୁହଁ ଦେଶର ବିଭିନ୍ନ କଲେଜରୁ ମୁଖ୍ୟତଃ ଏବେ ଆକ୍ରାନ୍ତ ଚିହ୍ନଟ ହେଉଥିବା ସୂଚନା ରହିଛି। ନିକଟରେ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟରୁ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତ ହଷ୍ଟେଲରେ ରହୁଥିଲେ। କରୋନାରେ ଆକ୍ରାନ୍ତ ହେବା ବେଳେ ଏମାନଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଚିହ୍ନଟ ହୋଇନଥିଲା। ବିଶ୍ୱବିଦ୍ୟାଳୟରେ ପାଖାପାଖି ୧୫୦୦ଟି ଆରଟିପିସିଆର ଟେଷ୍ଟ ହୋଇଥିଲା। ଏହାପରେ ୬୫ ଜଣ କରୋନାରେ  ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।। ସେହିପରି ଓଡ଼ିଶାର ଏକ୍ସଆଇଏମବି କଲେଜ, ଝାରସୁଗୁଡ଼ାର ଇଞ୍ଜିନିୟରିଂ କଲେଜରେ ବହୁଳ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଦେଶରେ ପୁଣି ଥରେ କରୋନା କଠିନ ଅବସ୍ଥାକୁ ଯାଉଛି। ଲୋକମାନେ ପୂର୍ବାଅପେକ୍ଷା ଢିଲା କରୁଛନ୍ତି। ନାଇଟ୍‌ କର୍ଫ୍ୟୁ ଯେଉଁଠି ହେଉଛି ତାହାକୁ କରୋନା କର୍ଫ୍ୟୁ ମାନିବାକୁ ଗତକାଲି କହିଥିଲେ ପ୍ରଧାନମନ୍ତ୍ରୀ। କିଛି ରାଜ୍ୟରେ ପ୍ରଥମ ଲହରକୁ ଦ୍ୱିତୀୟ ଲହର ଟପିଗଲାଣି। ଏଥର ବଡ଼ ନୁହେଁ ଛୋଟ ଛୋଟ କଂଟେନମେଂଟ କରିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅଧିକରୁ ଅଧିକ ଆରଟିପିସିଆର ଟେଷ୍ଟ କରିବାକୁ ପଡିବ ଏହାସହ ଟେଷ୍ଟିଂ ଅଧିକ ହେଲେ ସଂକ୍ରମଣ ବି ସେହି ଅନୁସାରେ ବଢିବ। ଯେଉଁ ରାଜ୍ୟରେ ସଂକ୍ରମଣ ବଢୁଛି ସେହି ରାଜ୍ୟ ସରକାର କାମ କରୁନାହାନ୍ତି ବୋଲି କହିବା ଆଦୌ ଠିକ୍‌ ନୁହେଁ। ବରଂ ଯେତେ ଟେଷ୍ଟିଂ ହେବ ସେତେ ସଂକ୍ରମିତଙ୍କ ସଂଖ୍ୟା ବଢିବ। ତେଣୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମୋଦି କହିଛନ୍ତି।

You might also like